ଆସିକାରୁ ବ୍ରହ୍ମପୁର ଚାଲାଣ ବେଳେ ୨ ବସ୍ତା ଗଞ୍ଜେଇ ଜବତ: ୩ କୋର୍ଟଚାଲାଣ

ହିିଞ୍ଜିଳିକାଟୁ,୧୯ା୩ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ପୋଲିସ ମଙ୍ଗଳବାର ଖଣ୍ଡରା ଛକରେ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଏକ ଅଟୋ ଉପରେ ଚଢ଼ାଉ କରିଥିଲା। ଅଟୋରେ ଥିବା ୨ ବସ୍ତା ଚୋରା ଗଞ୍ଜେଇ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ ପରେ କୋର୍ଟଚାଲାଣ କରିଛି। ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବୁଲୁ କୁମାର ପ୍ରଧାନ, ସୀମାଞ୍ଚଳ ପାତ୍ର ଓ ବନମାଳୀ ସ୍ବାଇଁ (ଅଟୋଚାଳକ)। ବୁଲୁ ଓ ସୀମାଞ୍ଚଳଙ୍କ ଘର ଆସିକା ଅଞ୍ଚଳରେ। ବନମାଳୀଙ୍କ ଘର ବଡ଼ଗଡ଼ ରୁଗୁମୁ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ୩ ମୋବାଇଲ ଫୋନ ଜବତ କରାଯାଇଛି। ପୋଲିସ ଜେରା ପରେ ସେମାନେ ଚୋରା ଗଞ୍ଜେଇକୁ ଆସିକାରୁ ବ୍ରହ୍ମପୁର ଚାଲାଣ କରୁଥିବା କହିଥିଲେ। ଉକ୍ତ ଗଞ୍ଜେଇ ସେମାନେ କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳରୁ ସଂଗ୍ରହ କରି ବ୍ରହ୍ମପୁର ସମେତ ଜିଲାର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଥିବା ପୋଲିସ ପ୍ରକାଶ କରିଛି। ଏ ନେଇ ଥାନାରେ କେସ୍‌ ନଂ. ୯୧/୨୦ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି।