Categories: ଜାତୀୟ

ଆସାମବାସୀ ଚିନ୍ତା କରନ୍ତୁନି: ମୋଦି

ନୂଆଦିଲ୍ଲୀ,୧୩।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି)କୁ ବିରୋଧକରି ଆସାମରେ ଚାଲିଥିବା ବିକ୍ଷୋଭ ହିଂସାର ରୂପ ନେଇଥିବାବେଳେ ନୂଆ ଆଇନକୁ ନେଇ ଚିନ୍ତା କରିବାର କିଛି ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆସାମ ବୁଝାମଣାପତ୍ରର ଧାରା ୬ ଅନୁଯାୟୀ ଆସାମବାସୀଙ୍କ ରାଜନୈତିକ, ଭାଷାଗତ, ସାଂସ୍କୃତିକ ଏବଂ ଜମି ଅଧିକାରର ସୁରକ୍ଷା ପାଇଁ ସେ ବ୍ୟକ୍ତିଗତ ଭାବେ ଏବଂ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୋଦି ଉଭୟ ଅସମୀୟା ଓ ଇଂଲିଶ୍‌ରେ ଟୁଇଟ୍‌ କରି ଜଣାଇଛନ୍ତି। ଏହି ଧାରା ସ୍ଥାନୀୟ ଅଧିକାର, ଭାଷା ଓ ସଂସ୍କୃତିର ସୁରକ୍ଷାକୁ ଗ୍ୟାରେଣ୍ଟି ଦେଉଛି। ଆପଣମାନଙ୍କ ଅଧିକାର, ଅନନ୍ୟ ପରିଚୟ ଓ ସୁନ୍ଦର ସଂସ୍କୃତିକୁ କେହି ଛଡ଼ାଇ ନେଇପାରିବେ ନାହିଁ ବୋଲି ମୋଦି କହିବା ସହ ଶାନ୍ତ ରହିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ବାଂଲାଦେଶ ଓ ଆଫଗାନିସ୍ତାନରୁ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ପଳାଇଆସିଥିବା ଅଣମୁସଲମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ଅଣାଯାଇଥିବା ବିଲ୍‌ ବୁଧବାର ରାତିରେ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଅନେକ ହିଂସାକାଣ୍ଡ ଘଟିଲାଣି। ଗୁଆହାଟୀ ସିଏବି ବିରୋଧୀ ବିକ୍ଷୋଭର କେନ୍ଦ୍ରସ୍ଥଳ ପାଲଟିଥିବାବେଳେ ସେଠାରେ ବୁଧବାର ରାତିରୁ କର୍ଫ୍ୟୁ ଜାରି ହୋଇଛି। ୪ଟି ସ୍ଥାନରେ ସେନା ମୁତୟନ ହୋଇଥିବାବେଳେ ତ୍ରିପୁରାରେ ଆସାମ ରାଇଫଲ୍ସର ଯବାନମାନେ ନିୟୋଜିତ ହୋଇଛନ୍ତି।

Share