ଆଷ୍ଟରଏଡ୍‌କୁ ଧକ୍କାଦେଲା ସ୍ପେସ୍‌କ୍ରାଫ୍ଟ

କେପ୍‌ କାନାଭେରାଲ, ୨୮।୯: ପୃଥିବୀକୁ ବାହ୍ୟ ବିପଦରୁ ରକ୍ଷା ପାଇଁ ଆମେରିକୀୟ ମହାକାଶ ଏଜେନ୍ସି ନାସାର ପରୀକ୍ଷଣ ମଙ୍ଗଳବାର ସଫଳ ହୋଇଛି। ଡାର୍ଟ (ଡବଲ ଆଷ୍ଟରଏଡ ରିଡିରେକ୍ସନ୍‌ ଟେଷ୍ଟ) ମିଶନରେ ମହାକାଶକୁ ପଠାଯାଇଥିବା ସ୍ପେସ୍‌କ୍ରାଫ୍ଟ ସଫଳତାର ସହ ଡାଇମୋର୍‌ଫସ୍‌ ଆଷ୍ଟରଏଡ୍‌କୁ ଧକ୍କା ଦେଇଛି। ଡାର୍ଟ ସ୍ପେସ୍‌କ୍ରାଫ୍ଟ ୨୨,୫୦୦ କିମି ପ୍ରତି ଘଣ୍ଟାରେ ଯାଇ ୧୬୦ ମିଟର ବ୍ୟାସ ବିଶିଷ୍ଟ ଏହି ଛୋଟ ଗ୍ରହାଣୁପୁଞ୍ଜକୁ ସିଧାସଳଖ ଧକ୍କା ଦେଇଥିଲା। ଏହି ସ୍ପେସ୍‌ ମିଶନକୁ ବିଭିନ୍ନ ପଏଣ୍ଟରେ ଟେଲିସ୍କୋପ୍‌ ମାଧ୍ୟମରେ ବୈଜ୍ଞାନିକମାନେ ନିରୀକ୍ଷଣ କରିଥିଲେ। କୌଣସି ଆଷ୍ଟରଏଡ୍‌କୁ ଏପରି ଧକ୍କା ଦେଇ ତାହାକୁ ପୃଥିବୀ ନିକଟତର ହେବାରୁ ଦୂରେଇ ରଖିବା ଏବଂ ତାହାର ଦିଗ ବଦଳାଇବାରେ ଏପ୍ରକାର ମିଶନ ପ୍ରଥମ। ଡିଡିମୋସ୍‌ର ଚନ୍ଦ୍ରମା ଡାଇମୋରଫୋସ୍‌ ପୃଥିବୀ ପ୍ରତି ବିପଦ ସୃଷ୍ଟି କରି ନ ଥିଲେ ହେଁ ନାସା ପରୀକ୍ଷଣ ପାଇଁ ଏହାକୁ ଟାର୍ଗେଟ କରିଥିଲା। ପ୍ରାୟ ୧୬୫ ନିୟୁତ ବର୍ଷ ଧରି ପୃଥିବୀରେ ରାଜ୍‌ କରୁଥିବା ଡାଇନୋସରର ବିଲୁପ୍ତି ପାଇଁ ଆଷ୍ଟରଏଡକୁ ଦାୟୀ କରାଯାଏ। ଏହାର ବ୍ୟାସ ପ୍ରାୟ ୧୦ କିଲୋମିଟର ଥିଲା ବୋଲି ବୈଜ୍ଞାନିକମାନେ ଦାବି କରନ୍ତି।

Share