ଆଷାଢ଼ରେ ବୈଶାଖୀ ଖରା, ଗଜା ମରୁଡ଼ି ଆଶଙ୍କାରେ ଚାଷୀ

ଭବାନୀପାଟଣା, ୩୦ା୬(ଡି.ଏନ୍‌.ଏ.) : ଚଳିତବର୍ଷ ଜୁନ୍‌ ତୃତୀୟ ସପ୍ତାହ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଭବାନୀପାଟଣାରେ ବର୍ଷା ହୋଇନାହିଁ। ପୂର୍ବରୁ କାଳବୈଶାଖୀ ତଥା ପ୍ରାକ୍‌ ମୌସୁମୀ ବର୍ଷା କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ହୋଇଥିବାରୁ ଚାଷୀମାନେ ଜମିରେ ହଳ କରିବା ସହ ଧାନବୁଣା କାର୍ଯ୍ୟ କରିଥିଲେ। କିନ୍ତୁ ମୌସୁମୀ ପ୍ରବେଶ ପରେ ଯେଉଁ ଆଶା ଚାଷୀକୁଳ ରଖିଥିଲେ ତାହା ଏବେ ମଉଳି ଯାଇଛି। ବର୍ତ୍ତମାନ ଅନେକ ଜମିରେ ଧାନ ଗଜା ହେବା ସହ କପାମଞ୍ଜି ମଧ୍ୟ ଗଜା ଧରିବା ଅବସ୍ଥାକୁ ଆସିଯାଇଛି।ଆଷାଢ଼ରେ ବୈଶାଖ ମାସ ପରି ଖରା ଯଦି ଆଉ ଦୁଇ ଦିନ ଜାରି ରହିବ ତେବେ ଭବାନୀପାଟଣା ବ୍ଲକ ଅଞ୍ଚଳ ସମେତ ଜିଲା ମଧ୍ୟରେ ହଜାର ହଜାର ଚାଷଜମି ଗଜା ମରୁଡ଼ିରେ ପରିଣତ ହେବ। ଏବେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗୋଟିଏ ପଟେ ଚାଷୀ ଧାର କରଜ କରି ସରକାରୀ ବିହନ କିଣି ଧାନ ବୁଣିଥିବା ବେଳେ ଏଭଳି ସ୍ଥିତି ଦେଖି ଭାଙ୍ଗି ପଡ଼ିଛନ୍ତି।