ଆଶାକର୍ମୀଙ୍କୁ ଆକ୍ରମଣ, ୨ ଗିରଫ

ନୟାଗଡ଼ ଅଫିସ/ରଣପୁର,୧୧ା୫(ସ୍ବ.ପ୍ର.): ରଣପୁର ଥାନା ବିନୋଦପଡାଠାରେ ଭୁବନେଶ୍ୱର ଫେରନ୍ତାଙ୍କ ନାମ ପଞ୍ଜୀକରଣ କରିବାରୁ କରୋନା ଯୋଦ୍ଧା ଆଶାକର୍ମୀ ନଳିନୀ ପ୍ରଧାନଙ୍କୁ ରବିବାର ରାତିରେ ଆକ୍ରମଣ ହୋଇଛି। ଆଶାକର୍ମୀଙ୍କ ଅଭିଯୋଗ କ୍ରମେ ରଣପୁର ପୋଲିସ ଏକ ମକଦ୍ଦମା ରୁଜୁ କରି ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବିନୋଦପଡାର କମଳାକାନ୍ତ ପାଣି ଓ ହରମୋହନ ନାୟକ। ଅଭିଯୋଗ ଅନୁସାରେ ବୃନ୍ଦାବନପୁର ପଞ୍ଚାୟତ ବିନୋଦପଡାର ଆଶାକର୍ମୀ ନଳିନୀ ରବିବାର ଗ୍ରାମରେ କରୋନା ଉପରେ ରିପୋର୍ଟ ସଂଗ୍ରହ ଓ ସଚେତନତା କରୁଥିଲେ। ସେ କମଳାକାନ୍ତଙ୍କ ଘରେ ପହଞ୍ଚି ପୁଅଙ୍କ ସମ୍ପର୍କରେ ତଥ୍ୟ ପଚାରିଥିଲେ। ଭୁବନେଶ୍ୱର ଫେରନ୍ତା ପୁଅଙ୍କ ନଁ। ପଞ୍ଜୀକରଣ କରିବା ନେଇ ନଳିନୀଙ୍କ ଉପରେ କ୍ଷୁବ୍‌ଧ ହୋଇଥିଲେ କମଳାକାନ୍ତ। ପୁଅକୁ ହୋମ ଆଇସୋଲେଶନରେ ରଖିବାକୁ ପରାମର୍ଶ ଦେବାରୁ ସେ ଗାଳିଗୁଲଜ କରିଥିଲେ। ହେଲେ ଆଶା କିଛି ଉତ୍ତର ନ ଦେଇ ଘରକୁ ଆସି ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ରବିବାର ରାତିରେ ଘରେ ଥିବାବେଳେ କମଳାକାନ୍ତ ଓ ହରମୋହନ ଆସି ଆଶାକର୍ମୀଙ୍କୁ ଗାଳିଗୁଲଜ କରିବା ସହ ମାର୍‌ପିଟ କରି ଚାଲିଯାଇଥିଲେ। ପରେ ଆହତ ଆଶାକର୍ମୀ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକତ୍ସା ପାଇଁ ଯାଇଥିଲେ। ହାକ୍ତରଙ୍କ ପରାମର୍ଶ କ୍ରମେ ସେ ରଣପୁର ପୋଲିିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ହେଲେ ପୋଲିସ ସକାଳୁ ଆସିବାକୁ କହିଥିଲା । ପରେ ଆଶା ସୋମବାର ସକାଳୁ ଆସି ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ.୧୨୬/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ଜଣେ ଆଶାଙ୍କୁ ଆକ୍ରମଣ ହୋଇଥିଲେ ମଧ୍ୟ ପୋଲିସ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସକାଳୁ ଆସିବାକୁ କହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।