Categories: ବାଣିଜ୍ୟ

ଆର୍‌କମ୍‌ ରିଜଲ୍ୟୁଶନ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୫-୩: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେଶନ(ଆର୍‌କମ୍‌)ର ଦେବାଳିଆ ସମାଧାନ ଯୋଜନାକୁ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟା ଦ୍ୱାରା ବ୍ୟାଙ୍କଗୁଡିକ ସେମାନଙ୍କ ୨୩ ହଜାର କୋଟି ଫେରିପାଇବାକୁ ଆଶା ରଖିଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ୟୁବି ଆସେଟ ରିକନଷ୍ଟ୍ରକଶନ କମ୍ପାନୀ ଆର୍‌କମ୍‌ ଏବଂ ରିଲାଏନ୍ସ କମ୍ୟୁନିକେଶନର ଆସେଟ ପାଇଁ ୧୪,୭୦୦ କୋଟି ଟଙ୍କାର ବିଡିଂ ଦାଖଲ କରିଛି। ସେହିଭଳି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ, ଆର୍‌କମ୍‌ର ଟାଓ୍ବାର ଏବଂ ଫାଇବର ବିଜନେସ (ରିଲାଏନ୍ସ ଇନଫ୍ରାଟେଲ)କୁ କିଣିବା ଲାଗି ୪,୭୦୦ କୋଟି ଟଙ୍କାର ଅଫର ଦେଇଛି। ଭାରତ ଏବଂ ଚାଇନାର କ୍ରେଡିଟରଙ୍କୁ ଆର୍‌କମ୍‌ ପ୍ରାଥମିକତା ଭିତ୍ତିରେ ୪୩୦୦ କୋଟି ଟଙ୍କା ପଇଠ କରିବାକୁ ପଡିବ। ଆର୍‌କମ୍‌ ଉପରେ ୩୩ ହଜାର କୋଟି ଟଙ୍କାର ଋଣ ରହିଛି। ଋଣ ପ୍ରଦାନକାରୀ ଅନୁଷ୍ଠାନଗୁଡିକ ୪୯,୦୦୦ କୋଟି ଟଙ୍କା ଦାବି କରୁଛନ୍ତି। ସମ୍ପତ୍ତି ବିକ୍ରି କରି ଋଣ ସୁଝିବା ଲାଗି ରିଲାଏନ୍ସ ପୂର୍ବରୁ ଚେଷ୍ଠା କରି ସାରିଛି। ଏଥି ଲାଗି ଅନୀଲ ଅମ୍ବାନୀ ରିଲାଏନ୍ସ ଜିଓ ସହ ସମ୍ପର୍କ କରିଥିଲେ। କିନ୍ତୁ କୌଣସି କାରଣ ବଶତଃ ଡିଲ୍‌ ହେବାରେ ଅସୁବିଧା ସୃଷ୍ଟି ହୋଇଥିଲା। ଆର୍‌କମ୍‌ର ବୃହତ୍ତ ପରିମାଣର କରଜ ଉଠାଇବା ଲାଗି ଜିଓ ପ୍ରସ୍ତୁତ ନ ହେବା ଯୋଗୁ ଡିଲ୍‌ ହୋଇ ପାରିଲା ନାହିଁ ବୋଲି କୁହାଯାଇଛି। ଏହାପରେ ସ୍ବିଡେନ ଭିତ୍ତିକ ଏରିକଶନ କମ୍ପାନୀ ଆର୍‌କମ୍‌ର ଦେବାଳିଆ ପ୍ରକ୍ରିୟା ଲାଗି ଅପିଲ ଦାୟର କରିଥିଲା। ଏହାପରେ ପ୍ରକ୍ରିୟା ଆରମ୍ଭ ହୋଇଛି।

Share