ଆରମ୍ଭ ହେଲା ମକର ମଉଜ

ବାରିପଦା ଅଫିସ,୧୬।୧- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲରେ ଗଣପର୍ବ ଭାବେ ଖ୍ୟାତି ଲାଭ କରିଥିବା ମକର ପର୍ବ ବୁଧବାର ଠାରୁ ମହାସମାରୋହରେ ଆରମ୍ଭ ହୋଇଛି। ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ପାଇଁ ଏହି ଦିନଟି ବେଶ ଉତ୍କଣ୍ଠାର ଦିନ। ଏହି ଦିନ ସେମାନେ ତାଙ୍କ ପାରମ୍ପରିକ ଟୁସୁ ଦେବୀଙ୍କୁ ପୂଜା କରି ଘରେ ଘରେ ବୁଲାଇବା ସହ ନାଚଗୀତରେ ଆସର ଜମାଇ ଥାଆନ୍ତି। ଏଠାରେ ଖାଲି ଆଦିବାସୀ ନୁହଁନ୍ତି। ସମଗ୍ର ମୟୂରଭଞ୍ଜ ଜିଲାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଘରେ ଘରେ ମକର ପାଇଁ ପିଠା ପଣା ସହ ଭୋଜି ଭାତର ଆୟୋଜନ ମଧ୍ୟ କରିଥାନ୍ତି। ମକର ଉତ୍ସବ ଉପଲକ୍ଷେ ଦେବକୁଣ୍ଡଠାରେ ଥିବା ମା’ ଅମ୍ବିକା ପୀଠ, ଖିଚିଂଠାରେ ଥିବା ମା’କୀଚକେଶ୍ୱରୀ ପୀଠ, ଦୁଆରଶୁଣୀ, ଭୀମକୁଣ୍ଡ, ବୁଢ଼ାବଳଙ୍ଗ ନଦୀରେ ହଜାର ହଜାର ଲୋକେ ଭୋର ବୁଡ ପକାଇ ନିଜ ପରିବାରର ଶୁଭ ମନାସିଛନ୍ତି। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସହ ସମସ୍ତେ ଏହି ଦିନରେ ଘରେ ଘରେ ପିଠା ପଣା ସହ ଚୁଡା, ତିଲଉ, ଗୁଡ ଏବଂ ଆଖୁ ମିଶା ଭୋଗ ଖାଇବା ସହ ନୂଆ ବସ୍ତ୍ର ପରିଧାନ କରି ମଜ୍ଜା ଉଠାଇଥିଲେ। ମକର ସଂକ୍ରାନ୍ତି ଅବସରରେ ବୁଧବାର ସକାଳେ ବାରିପଦା ସହରରେ ଥିବା ଜଗନ୍ନାଥ ମନ୍ଦିର, ମା’ଅମ୍ବିକା ମନ୍ଦିର, ହନୁମାନ ମନ୍ଦିର ଆଦି ବିଭିନ୍ନ ମନ୍ଦିରମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା। ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ତଥା ମକର ମେଳା ଜିଲାର ବିଭିନ୍ନ ସ୍ଥାନରେ ସପ୍ତାହେ ବ୍ୟାପି ଚାଲୁ ରହିବ।