ଆରମ୍ଭ ହେଲା ଭର୍ଚୁଆଲ ଷ୍ଟୁଡିଓ: ‘ଆମ ପ୍ରେରଣା’ କାର୍ଯ୍ୟକ୍ରମରେ ସଫଳତାର କାହାଣୀ କହିଲେ କନିଷ୍ଠ ବୈଜ୍ଞାନିକ କୈବଲ୍ୟ ସାହୁ

କେନ୍ଦୁଝର,୨୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଷ୍ଟାଡିୟମ ନିକଟରେ ଥିବା ଜନଜାତି ସାଧନ କେନ୍ଦ୍ର (ଟିଆରସି) ଠାରେ ମଙ୍ଗଳବାର ଭର୍ଚୁଆଲ ଷ୍ଟୁଡିଓର ଉଦ୍‌ଘାଟନ ହୋଇଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ଅଧିନରେ ନିର୍ମିିତ ଏହି ଅତ୍ୟାଧୁନିକ ଷ୍ଟୁଡିଓଟି ଜିଲାରେ ୫ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା ବିଭିନ୍ନ ହାଇସ୍କୁଲ ସହ ସିଧା ସମ୍ପର୍କ ଯୋଡ଼ିବାରେ ସହାୟକ ହେବ। ଆଜି ଏହାର ଉଦ୍‌ଘାଟନ ସାଙ୍ଗକୁ ଜିଲା ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ‘ଆମ ପ୍ରେରଣା’ର ଶୁଭାରମ୍ଭ ହୋଇଯାଇଛି। ଏହି ଉଦ୍‌ଘାଟନି କାର୍ଯ୍ୟକ୍ରମରେ ନିକଟରେ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ର(ବାର୍କ)ରେ କନିଷ୍ଠ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିବା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କଣ୍ଟାପଦାର କୈବଲ୍ୟ ସାହୁ ଯୋଗଦେଇ ୪୩୦ ଟି ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ଭର୍ଚୁଆଲ ଯୋଗେ ନିଜର ପ୍ରେରଣାଦାୟୀ ଯାତ୍ରା ଏବଂ ସଫଳତା କାହାଣୀ ସମ୍ପର୍କରେ କହିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ କୈବଲ୍ୟଙ୍କୁ ପାଠପଢ଼ା ଏବଂ କ୍ୟାରିଅର ସମ୍ପର୍କିତ ପ୍ରଶ୍ନ ପଚାରିଥିବା ବେଳେ ସମସ୍ତଙ୍କୁ ଯଥୋଚିତ ଉତ୍ତର ଦେଇଥିଲେ କୈବଲ୍ୟ।