ଆମ ବିଶ୍ୱବିଦ୍ୟାଳୟର ମାନ

ଡା. ସୁରେନ୍ଦ୍ର ନାଥ ପତି
ଆମ ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ମୋଟ ୮୨୧। ସେଥିରେ ରାଜ୍ୟ ସରକାରଙ୍କର ୩୬୭ଟି, କେନ୍ଦ୍ର ସରକାରଙ୍କର ୪୯ଟି, ଡିମ୍‌ଡ ୟୁନିଭର୍ସିଟି ସଂଖ୍ୟା ୧୨୩ ଓ ପ୍ରାଇଭେଟ ଯୁନିଭର୍ସିଟି ସଂଖ୍ୟା ୨୮୨। ସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ଏହି ସଂଖ୍ୟା ତ କମ୍‌। ତା’ ସହ ବିଶ୍ୱବିଦ୍ୟାଳୟଗୁଡ଼ିକର ମାନ ବି ଉନ୍ନତ ନୁହେଁ, ବିଶ୍ୱସ୍ତରୀୟ ନୁହେଁ। ବିଶ୍ୱବିଦ୍ୟାଳୟ କହିଲେ ଏହାର କୋଠାବାଡି, ଛାତ୍ରାବାସ, ଲାଇବ୍ରେରିକୁ କେବଳ ବୁଝାଏ ନାହିଁ। ଛାତ୍ର ଓ ଅଧ୍ୟାପକମାନେ ଏହାର ସମ୍ବଳ। ସେମାନଙ୍କର ଜ୍ଞାନ, ଦକ୍ଷତା, ଖ୍ୟାତି, ପ୍ରୟୋଗଶୀଳତା- ଏସବୁ ଜାତି, ଦେଶ ଓ ବିଶ୍ୱର କେତେ କାର୍ଯ୍ୟରେ ଲାଗିଛି, ପୂର୍ବ ଅବସ୍ଥାରୁ କେତେ ଉନ୍ନତତର ସମାଜ, ପରିବେଶ, ସୁଖସ୍ବାଚ୍ଛନ୍ଦ୍ୟ ସୃଷ୍ଟି କରିଛି, ସେ ଦୃଷ୍ଟିରୁ ପର୍ଯ୍ୟାଲୋଚନା କରି ସମ୍ପୃକ୍ତ ଅନୁଷ୍ଠାନର ମାନ ନିର୍ଣ୍ଣୟ କରାଯାଏ। ଏହା ଆନ୍ତର୍ଜାତିକ ସ୍ତରରେ ସ୍ବୀକୃତ। ବହୁ ଅତୀତ କାଳରେ ଖ୍ରୀ.ପୂ. ସମୟରେ ଭାରତରେ ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା, ପୁଷ୍ପଗିରି, ମହାବିହାର ଆଦି ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟ ଥିଲା। ଦକ୍ଷିଣପୂର୍ବ ଏସିଆ ଓ ପଶ୍ଚିମ ଏସିଆରୁ ହଜାର ହଜାର ଛାତ୍ର ଆସି ଏଠାରେ ଅବସ୍ଥାନ କରି ବିଦ୍ୟା ଅର୍ଜନ କରୁଥିଲେ। ସେ କାଳ ଚାଲିଯାଇଛି। ଭାରତରୁ ବୌଦ୍ଧଧର୍ମର ବିଲୋପ ସହ ବୈଦେଶିକ ଶାସକମାନେ ମହାନ୍‌ ଜ୍ଞାନ-କ୍ଷେତ୍ରମାନଙ୍କୁ ଧ୍ୱଂସ କରିଦେଇଛନ୍ତି। ବ୍ରିଟିଶ ଶାସନ କାଳରେ ସେମାନଙ୍କୁ ପ୍ରଶାସନରେ ସହଯୋଗ କରିବା ପାଇଁ ଇଂଲିଶ୍‌ ଶିକ୍ଷା ପଦ୍ଧତିରେ ବମ୍ବେ, ମାଡ୍ରାସ, କଲିକତାଠାରେ ବିଶ୍ୱବିଦ୍ୟାଳୟମାନ ପ୍ରତିଷ୍ଠିତ ହୋଇଥିଲା। ଏହା ବରଦାନ ସଦୃଶ ସାବ୍ୟସ୍ତ ହୋଇଥିଲା। ବହୁ ଦେଶପ୍ରେମୀ ଭାରତୀୟ ଯୁବକ ଇଂରେଜମାନଙ୍କ ଅଧୀନରେ ଗୋଲାମଗିରି ନ କରି ଦେଶର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। କେତେକ ଇଂଲଣ୍ଡରେ ଶିକ୍ଷା ଲାଭ କରି ମଧ୍ୟ ଦେଶକୁ ଫେରି ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭାବରେ ପରିଚିତ ହୋଇ ସ୍ବାଧୀନ ଭାରତରେ ମନ୍ତ୍ରୀ, ରାଜ୍ୟପାଳ ଆଦି ପଦ ଅଳଙ୍କୃତ କରିଛନ୍ତି।
ଏବେ ସମଗ୍ର ବିଶ୍ୱରେ ୟୁନିଭର୍ସିଟିମାନଙ୍କର ମାନ୍ୟତା ବା ର଼୍ୟାଙ୍କିଙ୍ଗ୍‌ ପାଇଁ ତିନିଗୋଟି ସଂସ୍ଥା କାର୍ଯ୍ୟ କରୁଛନ୍ତି। ଟାଇମ୍ସ ହାୟର ଏଜୁକେଶନ (the) ର଼୍ୟାଙ୍କିଙ୍ଗ୍‌, କ୍ୟୁଏସ (qs) ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଓ ଏକାଡେମିକ ର଼୍ୟାଙ୍କିଙ୍ଗ୍‌। ପ୍ରଥମଟି ଇଂଲଣ୍ଡର, ଶେଷଟି ଚାଇନାର। ବିଶ୍ୱବିଦ୍ୟାଳୟଗୁଡ଼ିକ ଏହି ସଂସ୍ଥାମାନଙ୍କୁ ନିର୍ଦ୍ଦିଷ୍ଟ ଫର୍ମରେ ଡାଟା ପ୍ରେରଣ କରନ୍ତି, ଯଥା- ବିଶ୍ୱବିଦ୍ୟାଳୟ କେତୋଟି ରିସର୍ଚ୍ଚ ପେପର ପବ୍ଲିଶ୍‌ କରିଛି, କେତେଜଣ ଆନ୍ତର୍ଜାତିକ ସ୍ତରର ଫ୍ୟାକଲ୍‌ଟି ଅଛନ୍ତି (ବିଦେଶରୁ ଆସିଥିବା ପ୍ରଫେସର), ଦେଶର ଫ୍ୟାକଲ୍‌ଟି ସହ ତାଙ୍କର ଅନୁପାତ କେତେ, ଇଣ୍ଟର୍‌ନ୍ୟାଶ୍‌ନାଲ ଛାତ୍ର କେତେ ସଂଖ୍ୟାରେ ଏଠାରେ ଅଧ୍ୟୟନ କରନ୍ତି, ଦେଶୀୟ ଛାତ୍ରଙ୍କ ସହ ତାଙ୍କର ଅନୁପାତ କେତେ, ଇଣ୍ଟରନ୍ୟାଶନାଲ ଗବେଷକଙ୍କ ସହ ଏହି ସଂସ୍ଥା କେତୋଟି ପବ୍ଲିକେଶନ କରିଛି, ଏକାଡେମିକ୍‌ କ୍ଷେତ୍ରରେ ରେପୁଟେଶନ ଅଛି ନା ନାହିଁ, ରିସର୍ଚ୍ଚରୁ କେତେ ଆୟ ହୁଏ, ରିସର୍ଚ୍ଚ ପାଇଁ ବାତାବରଣ ଅଛି ନା ନାହିଁ, ଫ୍ୟାକଲ୍‌ଟି ସଂଖ୍ୟା ଓ ଛାତ୍ରସଂଖ୍ୟା, ଟିଚିଙ୍ଗ ଓ ଲର୍ନିଂ କିପରି ଚାଲିଛି, ବ୍ୟାଚେଲର ଡିଗ୍ରୀ ସହ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନର ଅନୁପାତ, କେତେ ଜଣ ଏହି ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ପ୍ରାପ୍ତ ହୋଇଛନ୍ତି, ସଂସ୍ଥାର ଆୟ କେତେ, କେତେଜଣ ଛାତ୍ର ମେଡାଲ, ନୋବେଲ ପ୍ରାଇଜ୍‌ ପାଇଛନ୍ତି, ଷ୍ଟାଫ୍‌ ସଂଖ୍ୟା କେତେ, ରିସର୍ଚ୍ଚ ଆଉଟ୍‌ପୁଟ, ଫ୍ୟାକଲ୍‌ଟି ପିଛା କେତୋଟି ପବ୍ଲିକେଶନ ଅଛି ଇତ୍ୟାଦି।
ଏତଦ୍‌ବ୍ୟତୀତ qs ଓ the ସଂସ୍ଥା ଦ୍ୱୟ ଅନ୍ୟାନ୍ୟ ତଥ୍ୟ ଉପରେ ଯଥାକ୍ରମେ ଶତକଡା ୪୦ ଭାଗ ଓ ୬୦ ଭାଗ ନିର୍ଭର କରନ୍ତି। ସର୍ବପ୍ରଧାନ ଉପାଦାନ ହେଲା ପବ୍ଲିକେଶନ୍‌, ଯାହା ବିଶ୍ୱସ୍ତରୀୟ ହେବା ଉଚିତ। ଆମ ଦେଶରେ ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ମେଡିସିନ କ୍ଷେତ୍ରରେ ପବ୍ଲିକେଶନ୍‌ ଅତି କମ୍‌ ଥିବାର ଦେଖାଯାଏ। ଚାଇନା ବହୁ ଆଗରେ ଆମଠାରୁ। ମାଣ୍ଡାରିନ ଭାଷାରେ ରିସର୍ଚ୍ଚ ପେପର ପ୍ରସ୍ତୁତ ହୋଇ ସର୍ବାଧିକ ସଂଖ୍ୟାରେ ଇଂଲିଶ ଭାଷାକୁ ଅନୂଦିତ ହୁଏ। ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟମାନ ଯଥା- ହାର୍ଭାର୍ଡ, ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି, ଅକ୍ସଫୋର୍ଡ, କେମ୍ବ୍ରିଜ ଆଦି ବିପୁଳ ଅର୍ଥ ବ୍ୟୟ କରନ୍ତି। ସେ ଦେଶର ସରକାରମାନେ ଏହାକୁ ମଞ୍ଜୁର କରିବାରେ ତତ୍ପର। କିନ୍ତୁ ଶିକ୍ଷା କ୍ଷେତ୍ରରେ ଭାରତର ବ୍ୟୟ ନଗଣ୍ୟ। ଜାତୀୟ ତଥା ଆନ୍ତର୍ଜାତିକ ସେମିନାରଗୁଡ଼ିକରେ ଭାରତର ସ୍ଥାନ ବହୁ ତଳେ। ଉତ୍ତର ଆମେରିକା, ଇଂଲଣ୍ଡ, ୟୁରୋପୀୟ ସଂଘର ବିଶ୍ୱବିଦ୍ୟାଳୟଗୁଡ଼ିକ ଏଥିରେ ଅଗ୍ରଣୀ।
ବିଭିନ୍ନ ଅନୁଧ୍ୟାନକାରୀ ସଂସ୍ଥାର ଗଣନା ଅନୁଯାୟୀ ଫଳାଫଳ ଭିନ୍ନ ଦେଖାଯାଉଛି। ଟାଇମ୍ସ ସଂସ୍ଥା ଅନୁସାରେ ମୋଟ ୭୦୦ରୁ ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥା ୨୫୧ତମ ଓ ଆଇଆଇଟି ମୁମ୍ବାଇ ୪୦୧ତମ ସ୍ଥାନରେ ଅଛନ୍ତି। ଚାଇନାର ୨୫ଟି ଅନୁଷ୍ଠାନ ୧୦୦ ମଧ୍ୟରେ ଅଛନ୍ତି। ଉତ୍ତର ଆମେରିକା, ଇଂଲଣ୍ଡ, ସିଙ୍ଗାପୁର, ଟୋକିଓ, ହଂକଂ, ରୁଷିଆ, ଇରାକ, ଇରାନ, ଆଫ୍ରିକୀୟ ଦେଶ ବହୁ ଆଗରେ ସ୍ଥାନ ପାଇଛନ୍ତି। ଅନ୍ୟାନ୍ୟ କ୍ଷୁଦ୍ରରାଷ୍ଟ୍ର ଅତି ଭଲ ବିଶ୍ୱବିଦ୍ୟାଳୟ ତିଆରି କରିପାରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ର଼୍ୟାଙ୍କିଙ୍ଗ୍‌ ଅନୁସାରେ ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥା ପ୍ରଥମ, କେମିକାଲ ଟେକ୍‌ନୋଲୋଜି, ମୁମ୍ବାଇ ଦ୍ୱିତୀୟ, ଦିଲ୍ଲୀର ଜେଏନୟୁ ତୃତୀୟ, ଭୁବନେଶ୍ୱର କିଟ୍‌ସ ୫୩ତମ ସ୍ଥାନ ଅଧିକାର କରନ୍ତି।
ଏହିପରି ଦୁର୍ଗତିରୁ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକୁ କିପରି ଉଦ୍ଧାର କରାଯାଇପାରିବ? ଆଇଆଇଟିଗୁଡ଼ିକ ଅଧିକ ସ୍ଥାୟୀ ଫାକଲ୍‌ଟି ନିଯୁକ୍ତ କରିବା ଦରକାର। ଏବେ ମାତ୍ର ଶତକଡା ୪୦ ସ୍ଥାୟୀ ଶିକ୍ଷକ ନିଯୁକ୍ତ ଅଛନ୍ତି। ଅନ୍ୟ ଦେଶରୁ ଅଧ୍ୟାପକ ଓ ଛାତ୍ରଙ୍କୁ ଆଣି ଏଠାରେ ପଢିବା ଓ ପଢାଇବାର ବନ୍ଦୋବସ୍ତ କରିବା ଦରକାର। ଅଧିକ ପିଏଚ୍‌ଡି କରୁଥିବା ସ୍କଲାର ବାହାର କରିବା ଆବଶ୍ୟକ।
କେତେକ ଶିକ୍ଷାବିତ୍‌ ଏପରି ସ୍ଥିତି ଲକ୍ଷ୍ୟ କରି ମତ ଦିଅନ୍ତି ଯେ, ଏଭଳି ମୂଲ୍ୟାୟନ ପାଶ୍ଚାତ୍ୟ ଦେଶର ନିୟମ ଅନୁସାରେ କରାଯାଇଛି। କିନ୍ତୁ ଆମକୁ ଏହା ମାନିନେବାକୁ ହେବ, ଯଦି ଆମେ ସେମାନଙ୍କ ସାଥିରେ କାନ୍ଧକୁ କାନ୍ଧ ମିଳାଇ ଚାଲିବାକୁ ଚାହୁଁ। ସରକାର ଆଇନରେ ପରିବର୍ତ୍ତନ ଆଣି ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ଅର୍ଥବ୍ୟୟ କରିବା ଦରକାର। ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ଉଚିତ। ଗୁରୁ-ଶିଷ୍ୟ ସମ୍ପର୍କର ପୁନରୁଦ୍ଧାର କରାଯିବା ଆବଶ୍ୟକ। କେବଳ କ୍ଲାସ୍‌ରୁମ ଶିକ୍ଷା ନୁହେଁ, ଗୁରୁ ଛାତ୍ରକୁ ଚିହ୍ନିବେ, ଆଉଟ୍‌ ଅଫ୍‌ କ୍ଲାସ୍‌ ଗାଇଡ ହେବେ, ଛାତ୍ରର ସାଧାରଣ ଜୀବନରେ ଆବଶ୍ୟକ ଉପଦେଶ ଦେବେ। କେବଳ ସିଲାବସକୁ ଆଧାର ନ କରି, ଛାତ୍ର ଯଦି ତା’ର ଆଗ୍ରହ ଥିବା ବିଷୟ ପଢିବାକୁ ଚାହେଁ, ସେଥିପ୍ରତି ଶିକ୍ଷକ ଉତ୍ସାହିତ କରିବେ। ଆମ ଦେଶରେ ଛାତ୍ର ଓ ଅଧ୍ୟାପକମାନଙ୍କର ରିସର୍ଚ୍ଚ ଏବଂ ପବ୍ଲିକେଶନ ସଂଖ୍ୟା ଭଲ ଅଛି। ପିଏଚ୍‌ଡି ସଂଖ୍ୟା ମନ୍ଦ ନୁହେଁ। କିନ୍ତୁ ଏହି ସବୁ ନୂତନ ତଥ୍ୟ ସାମାଜିକ କ୍ଷେତ୍ରରେ ଉପଯୋଗ ହେଉନାହିଁ। ପୋଥିବିଦ୍ୟା ହୋଇ ରହିଯାଉଛି। ପାଶ୍ଚାତ୍ୟ ବୈଜ୍ଞାନିକଗଣ ମତ ଦିଅନ୍ତି, ଭାରତରେ ପ୍ରତିଭାର ଅଭାବ ନାହିଁ, କିନ୍ତୁ ଅଧ୍ୟବସାୟ, ବ୍ୟୟ, ମନୋଯୋଗିତାର ଅଭାବ ଦେଖାଦିଏ। ବ୍ୟକ୍ତିଗତ ସ୍ବାର୍ଥ, ଲାଭ, ପରଶ୍ରୀକାତରତା, ଈର୍ଷା, ଅସହଯୋଗ ମନୋଭାବ ସହ ସରକାରଙ୍କର ବିଜ୍ଞାନ ପ୍ରତି ଉଦାସୀନତା ଭାରତକୁ ବିଶ୍ୱରେ ନଗଣ୍ୟ କରିଦେଉଛି। ତେଣୁ ସର୍ବାଙ୍ଗୀନ ଉନ୍ନତି ପାଇଁ ଯୁବ ସମାଜ ଆଗଭର ହେବା ଉଚିତ ଏବଂ ସରକାରଙ୍କର ନିଦ ଭାଙ୍ଗିବା ଆବଶ୍ୟକ।
ରେଣୁକା ଏନ୍‌କ୍ଲେଭ, ବଡଶଙ୍ଖ, ପୁରୀ, ମୋ-୯୪୩୭୪୯୪୭୭୬