Categories: କନ୍ଧମାଳ

ଆମ୍ବୁଲାନ୍ସ ଗଲାନି, ବୁହାହେଲେ ଗର୍ଭବତୀ

ଫୁଲବାଣୀ ଅଫିସ, ୧୫ା୯ -ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର ଦୁବଗଡ ପିପଳସାହିରେ ଏକ ରାସ୍ତା ଅବରୋଧକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଜସ୍ବ ସ୍ଥାନରେ ରାସ୍ତା ଅଛି ବୋଲି ପଟ୍ଟାଧାରୀ କହୁଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ରାସ୍ତା ଅବରୋଧ ପାଇଁ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବା ବେଳେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା ଅବରୋଧ ଯୋଗୁ ଆମ୍ବୁଲାନ୍ସ ଗ୍ରାମକୁ ଯାଇ ପାରିନହିଁ। ଫଳରେ ଗ୍ରାମବାସୀ ମହିଳାଙ୍କୁ ଷ୍ଟ୍ରେଚରରେ ପ୍ରାୟ ଦେଢ଼ କିମି ବୋହି ଆଣି ଆମ୍ବୁଲାନ୍ସରେ ଫୁଲବାଣୀ ମେଡିକାଲ ପଠାଇଛନ୍ତି।
ସୂଚନା ଅନୁଯାୟୀ, ବେଣାକେରା ଗ୍ରାମର ଇସ୍‌ପିତା ବେହେରା ୮ ମାସର ଗର୍ଭବତୀ ଅଛନ୍ତି। ଶନିବାର ଦେହ ଖରାପ ହେବାରୁ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା। ଆମ୍ବୁଲାନ୍ସ ଗ୍ରାମକୁ ଗଲାବେଳକୁ ସେଠାରେ ରାସ୍ତା ଅବରୋଧ ଯୋଗୁ ଅଟକି ରହିଥିଲା। ଉପାୟ ନ ପାଇ ଆମ୍ବୁଲାନ୍ସ ଅନ୍ୟଏକ ରାସ୍ତା ଗାଗଡପଦର ଦେଇ ଗ୍ରାମର ଅନ୍ୟ ପଟକୁ ଯାଇଥିଲା। ଗ୍ରାମବାସୀ ଷ୍ଟ୍ରେଚର ନେଇ ପ୍ରାୟ ଦେଢ଼ କିମି ବିଲ ହିଡ ଏବଂ ପାହାଡ ରାସ୍ତାରେ ଗର୍ଭବତୀଙ୍କୁ ଆଣିଥିଲେ। ଯାହାକୁ ନେଇ ଏବେ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ପିପଳସାହି ବାସିନ୍ଦା ଧ୍ୱଜ ବେହେରାଙ୍କ ୩ ଏକର ଜାଗା ରହିଛି। ଏହି ଜାଗାକୁ ଲାଗି ଏକ ସରକାରୀ ଜାଗା ଅଛି। ସେହି ସ୍ଥାନରେ ସେ ଗଛ ଲଗାଇବାକୁ ଉଦ୍ୟମ କରିବାରୁ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ତାହା ସରକାରୀ ଜାଗା ଓ ସେଠାରେ ପିଲାମାନେ ଖେଳନ୍ତି। ଏହି ବିବାଦକୁ ନେଇ ଗ୍ରାମବାସୀ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ତହସିଲଦାର ଆରଆଇଙ୍କୁ ପଠାଇ ସରକାରୀ ସ୍ଥାନ ଚିହ୍ନଟ କରିଥିଲେ। ହେଲେ ପୁଣି ତାହାକୁ ଜବରଦଖଲ କରାଯାଇଛି। ଧ୍ୱଜଙ୍କ କହିବା ଅନୁସାରେ ରାସ୍ତା ପଟ୍ଟା ଜମିର ଅଂଶ। ଅନ୍ୟପକ୍ଷରେ ଉପ ଜିଲାପାଳ ବୀରେନ୍ଦ୍ର କୁମାର ଦାସ ଗ୍ରାମବାସୀ ସେହି ରାସ୍ତା ବ୍ୟବହାର କରି ଆସୁଛନ୍ତି। ଅନ୍ୟ କୌଣସି ବିକଳ୍ପ ରାସ୍ତା ନାହିଁ। ତେଣୁ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ। ତହସିଲଦାରଙ୍କୁ ଉକ୍ତ ରାସ୍ତା ଅବରୋଧ ହଟାଇବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ହେଲେ ୨୪ ଘଣ୍ଟା ବିତି ଯାଇଥିଲେ ହେଁ କିଛ ପଦକ୍ଷେପ ନିଆଯାଇ ନ ଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।