ଆମ୍ବଗଛ ମୂଳେ ୪ ପରିବାର

ବରଗଡ଼ ଅଫିସ୍‌,୨୯।୩-ଠାକୁରାଣୀ(ସରମଙ୍ଗଳା)ଙ୍କୁ ଧରି ସପରିବାର ଗାଁ ଗହଳିକୁ ଯାଇ ଦୁଇ ପଇସା ରୋଜଗାର କରନ୍ତି । ସେଥିରୁ ସେମାନଙ୍କ ପରିବାର ଗୁଜୁରାଣ ମେଣ୍ଟିଥାଏ । ମାତ୍ର ଲକ୍‌ ଡାଉନ୍‌ ଯୋଗୁ ରୋଜଗାର ତ ଦୂରର କଥା, ଗ୍ରାମଠାରୁ ବହୁଦୂର ପଦ୍ମପୁର ଉପଖଣ୍ଡ ଧୂମାଭଟା ଛକରେ ବରଗଡ଼ ବ୍ଲକ ଅନ୍ତର୍ଗତ ସୟାଁ ଗ୍ରାମର ୪ପରିବାର ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୯ଶିଶୁ ମଧ୍ୟ ରହିଛନ୍ତି । ସେମାନେ ସମସ୍ତେ ଉପରୋକ୍ତ ଗ୍ରାମର ସୁରେନ୍ଦ୍ର ରାଉତ୍‌, ସନ୍ତୋଷ ରାଉତ୍‌, ବିଜୟ ରାଉତ୍‌ ଏବଂ ମନୋଜ ବାଗଙ୍କ ପରିବର ଲୋକ। ସେଠାକାର ଏକ ଆମ୍ବଗଛ ମୂଳେ ସେମାନେ ଆଶ୍ରୟ ନେଇଛନ୍ତି । ସବୁ ଦୋକାନ, ବଜାର ବନ୍ଦ ଥିବା ଯୋଗୁ ସେମାନେ ଭଲଭାବେ ଖାଇବାକୁ ମୁଠାଏ ମଧ୍ୟ ପାଉ ନାହାନ୍ତି। ତେବେ ଏଭଳି ବେସାହାରା ଅବସ୍ଥାରେ ଆମ୍ବଗଛ ମୂଳେ ରହିଥିବା ଖବର ପାଇ ସ୍ଥାନୀୟ ପ୍ରଫୁଲ୍ଲ ମାକର, ସୁଶାନ୍ତ ସାହୁ, ରାମ ଡନସନା, ସମାରୁ ଧରୁଆ, ଚିତ୍ତରଞ୍ଜନ ଡନସନା, ଅକ୍ଷୟ ବାଗ ପ୍ରମୁଖ ସେମାନଙ୍କୁ ଚାଉଳ, ଲୁଣ, ପରିବା, ସାବୁନ ଆଦି ଯୋଗାଇ ଦେଇଛନ୍ତି । ତେବେ ଲକ୍‌ ଡାଉନ ସମୟସୀମା ଅବଧି ଆହୁରି ଅନେକ ଦିନ ରହିଥିବା ଯୋଗୁ ଏଭଳି ଅସହାୟ ଅବସ୍ଥାରେ ରହିଥିବା ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରା ନ ଗଲେ ଆଗକୁ ସେମାନଙ୍କ ଜୀବନ ଆହୁରି ଦୁର୍ବିସହ ହୋଇ ପଡ଼ିବାର ଆଶଙ୍କା ଦେଖା ଯାଇଛି । ଗ୍ରାମରେ ନିଜର ବୋଲି କିଛି ବାସଗୃହ ନ ଥିବା ଯୋଗୁ ସେମାନେ ସେଭଳି ଯାଯାବର ଜୀବନ ଯାପନ କରୁଥିବା କହିଛନ୍ତି।