Categories: କୋରାପୁଟ

ଆମଦାନୀ ନ ଥିବାରୁ ଅଣ୍ଡା ଅଭାବ, ବଢୁଛି ଦର

ଜୟପୁର,୩ା୪(ଡି.ଏନ୍‌.ଏ.) କରୋନା ମୁକାବିଲା କ୍ରମରେ ସବୁଠି ଲକ ଡାଉନ ସହ କୋରାପୁଟ ଜିଲାର ସୀମା ସିଲ କରାଯାଇଛି। ଏଭଳି ପରିସ୍ଥିତିରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ଅଣ୍ଡା ଆସିପାରୁ ନ ଥିବାରୁ ଜୟପୁର ସହରରେ ଏବେ ଏହାର ଅଭାବ ଦେଖାଦେଲାଣି। ଜିଲାର ଜୟପୁର ବ୍ଲକ ରଣ୍ଡାପାଲୀ ଓ କୁମୁଲିପୁଟରେ ୨ଟି କୁକୁଡ଼ା ଫାର୍ମ ରହିଛି। ଉଭୟ ଫାର୍ମ ଦୈନିକ ୪୦ହଜାର ଅଣ୍ଡା ଉପତ୍ାଦନ କରିଥାଆନ୍ତି। କିନ୍ତୁ କେବଳ ଜୟପୁର ସହରର ବଜାରରେ ଏକ ଲକ୍ଷ ଅଣ୍ଡା ବିକ୍ରି ହୋଇଥାଏ। ଲକଡାଉନ ଯୋଗୁ ଛେଳି, କୁକୁଡ଼ା ମାଂସ ଓ ମାଛର ମଧ୍ୟ ଅଭାବ ଦେଖାଦେବା ପରେ ଲୋକେ ସେହି ତୁଳନାରେ ଏବେ ଅଣ୍ଡାକୁ ଖାଦ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ କୁକୁଡ଼ା ଅଣ୍ଡାର ଚାହିଦା ବଢୁଛି। କିନ୍ତୁ ଆମଦାନୀ ବନ୍ଦ ଯୋଗୁ ଜିଲାରେ ଏହାର ଅଭାବ ଦେଖାଦେବା ସହ ବେପାରୀମାନେ ଗଚ୍ଛିତ ଥିବା ଅଣ୍ଡାକୁ ଅଧିକ ଦରରେ ବିକୁଛନ୍ତି। ଫାର୍ମ ପକ୍ଷରୁ ଅଣ୍ଡା ପିଛା ୩ ଟଙ୍କା ୭୦ ପଇସାରେ ବ୍ୟବସାୟୀଙ୍କୁ ବିକ୍ରି କରାଯାଉଥିବା ବେଳେ ସେମାନେ ଏହାକୁ ସାଧାରଣ ଲୋକଙ୍କୁ ୫ରୁ ୬ଟଙ୍କାରେ ବିକୁଛନ୍ତି। ଲକ୍‌ଡାଉନ ଯୋଗୁ ଅସାଧୁ ବ୍ୟବସାୟୀ ଏହାର ଫାଇଦା ନେଉଛନ୍ତି। ପ୍ରଶାସନ ଏହା ଉପରେ ରୋକ ଲଗାଇବା ଆବଶ୍ୟକ ହୋଇପଡ଼ିଛି।