Categories: ଜାତୀୟ

ଆଜି ମହାରାଷ୍ଟ୍ରର ମଙ୍ଗ ଧରିବେ ଉଦ୍ଧବ

ମୁମ୍ବାଇ,୨୮ା୧୧(ପି.ଟି.) : ମହାରାଷ୍ଟ୍ରରେ ଦୁଇ ଦଶନ୍ଧି ପରେ ଶିବସେନାରୁ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ସନ୍ଧ୍ୟାରେ ଏହି ଗୁରୁଦାୟିତ୍ୱ ଗ୍ରହଣ କରିବେ। ଏଥିପାଇଁ ମୁମ୍ବାଇର ଦାଦରସ୍ଥିତ ଶିବାଜୀ ପାର୍କରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ପ୍ରସିଦ୍ଧ ଦଶହରା ରାଲି ଶିବାଜୀ ପାର୍କରେ ହୋଇଥିଲା। ସେହି ସ୍ଥାନରେ ତାଙ୍କ ୫୯ ବର୍ଷୀୟ ପୁଅ ଉଦ୍ଧବ ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଶପଥଗ୍ରହଣର ଅବ୍ୟବହିତ ପୂର୍ବରୁ ଉଦ୍ଧବ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟି କ୍ୟାବିନେଟର ରୂପରେଖ ସମ୍ପର୍କରେ ଆଲୋଚନା କରିଛନ୍ତି। ସେହିପରି ମହାବିକାଶ ଅଘାଡ଼ିର ଅନ୍ୟତମ ଅଂଶୀଦାର କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ, କେ.ସି. ବେଣୁଗୋପଳ ମଧ୍ୟ ପାଓ୍ବାରଙ୍କୁ ସାକ୍ଷାତ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଅନେକ ରାଜନେତା, ଅଧିକାରୀ ଓ ସେଲିବ୍ରିଟି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିମନ୍ତ୍ରିତ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ, ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ସୁପ୍ରିମୋ ଏଚ୍‌.ଡି. ଦେବେଗୌଡ଼ା ପ୍ରମୁଖ। ଅନ୍ୟପକ୍ଷରେ ଏନ୍‌ସିପିର ଅଜିତ ପାଓ୍ବାର ନିଜ ଦଳକୁ ଫେରିଆସିଥିବାରୁ ତାଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରକାଶ ଯେ, ମନୋହର ଜୋଷୀ ୧୯୯୫ରେ ପ୍ରଥମ ଶିବସେନା ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ୧୯୯୯ରେ ଦଳର ଶେଷ ମୁଖ୍ୟମନ୍ତ୍ରୀ ହୋଇଥିଲେ ନାରାୟଣ ରାଣେ। ଏହାର ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି।

Share