Categories: ବାଣିଜ୍ୟ

ଆଜି ଆର୍ଥିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୪-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଉପସ୍ଥାପନ କରିବେ। ପରମ୍ପରା ଅନୁଯାୟୀ ଏହାର ଦିନକ ପୂର୍ବରୁ ଗୁରୁବାର ଅର୍ଥମନ୍ତ୍ରୀ ସୀତାରାମନ୍‌ ୨୦୧୯-୨୦ର ଆର୍ଥିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରିବେ। ଦେଶର ମୁଖ୍ୟ ଆର୍ଥିକ ଉପଦେଷ୍ଟା କେ.ଭି.ସୁବ୍ରମଣ୍ୟନଙ୍କ ନେତୃତ୍ୱରେ ପ୍ରସ୍ତୁତ ଏହି ରିପୋର୍ଟରୁ ହିଁ ଚଳିତ ଆର୍ଥିକ ବର୍ଷର ବଜେଟ ରୂପରେଖ ସ୍ପଷ୍ଟ ହୋଇଯିବ। ଚଳିତ ଆର୍ଥିକ ବର୍ଷରେ ଅର୍ଥ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର କିପରି ଯୋଜନା ପ୍ରସ୍ତୁତ କରିବେ ସେ ସଂକ୍ରାନ୍ତରେ ସର୍ଭେ ରିପୋର୍ଟରେ ଦର୍ଶାଯାଇଥାଏ। ସାଧାରଣତଃ ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିର ଗତି କେଉଁ ଆଡେ ରହିଥିଲା, ସେସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯିବା ସହ ଚଳିତ ଆର୍ଥିକ ବର୍ଷରେ ସରକାର କ’ଣ କରିବାକୁ ଚାହୁଁଛନ୍ତି, ସେ ବିଷୟରେ ଦର୍ଶାଯାଇଥାଏ। ଅର୍ଥନୀତିର ପୂର୍ଣ୍ଣାଙ୍ଗ ଦୃଶ୍ୟପଟକୁ ପରିସଂଖ୍ୟାନ ତଥ୍ୟ ମାଧ୍ୟମରେ ସର୍ଭେ ରିପୋର୍ଟରେ ପ୍ରଦର୍ଶନ କରାଯାଇଥାଏ। ସମ୍ଭବତଃ ମଧ୍ୟାହ୍ନ ୧୨ଟାରେ ଏହି ଆର୍ଥିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରାଯିବ ବୋଲି ଆଶାକରାଯାଉଛି।

Share