Categories: ଖେଳ

ଆଜିର ଦିନରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ ସଚିନ

ନୂଆଦିଲ୍ଲୀ,୨୩।୩- ଠିକ୍‌ ୧୭ ବର୍ଷ ତଳେ ଅର୍ଥାତ ୨୦୦୩ ମାର୍ଚ୍ଚ ୨୩ ତାରିଖରେ ସଚିନ ତେନ୍ଦୁଲକରଙ୍କ ଯୋଗୁ ଭାଙ୍ଗି ଯାଇଥିଲା କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ। ସେ ଦିନ ଜୋହାନ୍ସବର୍ଗର ଓ୍ବାଣ୍ଡର୍ସ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ୨୦୦୩ ଆଇସିସି ବିଶ୍ୱକପ୍‌ ଫାଇନାଲ। ଭାରତୀୟ ପ୍ରଶଂସକଙ୍କ ପୂରା ଭରସା ସଚିନଙ୍କ ଉପରେ ଥିଲା। ଦ୍ୱିତୀୟ ଥର ବିଶ୍ୱକପ୍‌ ଜିତିବା ପାଇଁ ଭାରତକୁ ଦରକାର ଥାଏ ୩୬୦ ରନ୍‌। ମାତ୍ର ପ୍ରଥମ ଓଭରରେ ହିଁ ପୂରା ଫର୍ମରେ ଥିବା ସଚିନ (୪) ଆଉଟ୍‌ ହୋଇଥିଲେ। ଆଉ ଭାଙ୍ଗି ଦେଇଥିଲେ ପ୍ରଶଂସକଙ୍କ ମନ। ପରେ ସେହ୍ବାଗ (୮୨) ଗୋଟିଏ ପକ୍ଷରେ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟ ପକ୍ଷରେ ଉଇକେଟ ପତନ ଘଟିଥିଲା। ଫଳରେ ଭାରତ ୩୯.୨ ଓଭରରେ ୨୩୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ରାହୁଲ ଡ୍ରାଭିଡ୍‌ ୪୭ , ସୌରଭ ଗାଙ୍ଗୁଲି ୨୪ ଓ ଯୁବରାଜ ସିଂ ୨୪ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ କ୍ରମାଗତ ଦ୍ୱିତୀୟ ଥର ବିଶ୍ୱକପ୍‌ ହାତେଇଥିଲା। ଇଭେଣ୍ଟରେ ସର୍ବାଧିକ ରନ୍‌ କରିଥିବା ସଚିନଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ଲାଗି ଗୋଲ୍ଡେନ ବ୍ୟାଟ୍‌ ପ୍ରଦାନ କରାଯାଇଥିଲା। ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଧୂମ ଛେଚିଥିଲେ। ଅଧିନାୟକ ରିକି ପଣ୍ଟିଂ(୧୪୦*)ଙ୍କ ଶତକ ବଳରେ ଧାର୍ଯ୍ୟ ୫୦ ଓଭରରେ ୨ ଉଇକେଟ ହରାଇ ୩୫୯ ରନ୍‌ କରିଥିଲା। ଡାମିଏନ ମାର୍ଟିନ ୮୮, ଆଡାମ ଗିଲକ୍ରିଷ୍ଟ ୫୭ ଓ ମାଥ୍ୟୁ ହେଡେନ ୩୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଭାରତ ପକ୍ଷରୁ କେବଳ ହରଭଜନ ସିଂ ୨ ଉଇକେଟ ନେଇଥିଲେ। ଜାହିର ଖାଁ, ଜାଭାଗଲ ଶ୍ରୀନାଥ ଓ ଆଶିଷ ନେହେରା ମିଳିତ ଭାବେ ୨୭ ଓଭରରେ ୨୧୧ ରନ୍‌ ବ୍ୟୟ କରିଥିଲେ।

Share