ଆଜିର ଅର୍ଥନୀତି/ ମୁଦ୍ରାସ୍ଫୀତି କମାଅ

ଖୁଚୁରା ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ସେପ୍ଟେମ୍ବରରେ ୩.୯୯ ପ୍ରତିଶତ ଥିଲା। ମୁଦ୍ରାସ୍ଫୀତି ଝୁଡ଼ିର ଅର୍ଦ୍ଧେକ ଦଖଲ କରୁଥିବା ଖାଉଟି ଖାଦ୍ୟ ମୁଦ୍ରାସ୍ଫୀତି ୭.୮୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ପୂର୍ବ ମାସରେ ୫.୧ ପ୍ରତିଶତ ଥିଲା। ହେଡ୍‌ଲାଇନ୍‌ ମୁଦ୍ରାସ୍ଫୀତିରେ ବୃଦ୍ଧି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମଧ୍ୟବର୍ତ୍ତିକାଳୀନ ଆକଳନକୁ ଟପିଯାଇଛି। ଏହା ଏଭଳି ବୃଦ୍ଧି ପାଇଛି, ଯାହାକୁ ନେଇ ଆର୍‌ବିଆଇ ଅସ୍ବସ୍ତି ବୋଧ କରୁଛି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଗତ ଫେବୃୟାରୀ ମାସରୁ ରେପୋ ରେଟ୍‌ ହ୍ରାସ କରିଚାଲିଛି। ଆସନ୍ତା ଡିସେମ୍ବର ମାସରେ ବ୍ୟାଙ୍କ ରେପୋ ରେଟ୍‌ରେ ଆହୁରି ୨୫ ବେସିସ୍‌ ପଏଣ୍ଟ ବା ସେହିପରି କିଛି ହ୍ରାସ କରିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ବର୍ତ୍ତମାନର ମୁଦ୍ରାସ୍ଫୀତି ଗତ ଜୁଲାଇ ୨୦୧୮ରୁ ଏପର୍ଯ୍ୟନ୍ତ ସର୍ବାଧିକ ହୋଇଥିବା ବେଳେ ବ୍ୟାଙ୍କ ଉକ୍ତ ଯୋଜନା ବିଷୟରେ ପୁନର୍ବିଚାର ଲାଗି ଚିନ୍ତା କରିପାରେ। ସରକାର ମଧ୍ୟ ବର୍ଦ୍ଧନଶୀଳ ମୁଦ୍ରାସ୍ଫୀତିର ସଂଖ୍ୟାକୁ ନେଇ ଚିନ୍ତିତ ହେବା ସ୍ବାଭାବିକ। ରିଜର୍ଭ ବ୍ୟାଙ୍କର ବର୍ତ୍ତମାନର ଗଭର୍ନରଙ୍କ ସମୟରେ ସରକାର ଯେତେବେଳେ ଯାହା ଚାହୁଁଛନ୍ତି ବ୍ୟାଙ୍କ ତାହା କରୁଥିବାରୁ ସରକାର ଖୁସି ଥିଲେ। ଆର୍‌ବିଆଇ ଚଳିତବର୍ଷ ପଲିସି ରେଟ୍‌ କ୍ରମାଗତ ପାଞ୍ଚଥର ଏବଂ ମୋଟ ୧୩୫ ବେସିସ୍‌ ପଏଣ୍ଟ ବା ୧.୩୫ ପ୍ରତିଶତ ହ୍ରାସ କରି ୫.୧୫ ପ୍ରତିଶତକୁ କମାଇ ସାରିଲାଣି। ଦେଶର ପ୍ରତି କ୍ଷେତ୍ରରେ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ପିଲିସି ରେଟ୍‌ ହ୍ରାସ କରି ଆଶାର ଆଲୋକବର୍ତ୍ତିକା ଜାଳିବାକୁ ଚେଷ୍ଟା କରିଥିଲା। କିନ୍ତୁ ବ୍ୟାଙ୍କଗୁଡ଼ିକ ତାହାର ଲାଭ ଖାଉଟିମାନଙ୍କୁ ହସ୍ତାନ୍ତର କରିବାକୁ କୁଣ୍ଠିତ ହେବାରୁ ସବୁ ଚେଷ୍ଟା ନିଷ୍ଫଳ ପ୍ରତିପାଦିତ ହୋଇଛି।
ଭାରତର ଶିଳ୍ପ ଉତ୍ପାଦନ ସେପ୍ଟେମ୍ବରରେ କ୍ରମାଗତ ଦ୍ୱିତୀୟ ମାସ ପାଇଁ ୪.୩ ପ୍ରତିଶତ ହ୍ରାସ ପାଇଛି, ଯାହା ଏପ୍ରିଲ ୨୦୧୨ରୁ ସବୁଠାରୁ କମ୍‌। ଅର୍ଥାତ୍‌ ସେପ୍ଟେମ୍ବର ସୁଦ୍ଧା ଶେଷ ହେଉଥିବା ତ୍ରିମାସୀରେ ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ତଳକୁ ଖସିଯାଇଥାଇ ପାରେ, ଯାହାର ତଥ୍ୟ ଚଳିତ ମାସ ଶେଷ ଆଡ଼କୁ ପ୍ରକାଶ ପାଇବ। ଅର୍ଥନୈତିକ ଅଭିବୃଦ୍ଧି ହାର ଜୁନ୍‌ ତ୍ରିମାସୀରେ ଛଅବର୍ଷରେ ୫ ପ୍ରତିଶତର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ମୁଡିର ନିବେଶକ ସେବା ଆଜି ୨୦୧୯ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନ ୫.୬ ପ୍ରତିଶତକୁ ଖସାଇବା ସହ ଖାଉଟି ଚାହିଦା ହ୍ରାସଜନିତ ସମସ୍ୟାର ସମାଧାନ ପାଇଁ ସରକାର ନେଇଥିବା ସମସ୍ତ ପଦକ୍ଷେପ ବିଫଳ ହୋଇଛି ବୋଲି ମତ ଦେଇଛି। ଗତ ସପ୍ତାହରେ ଏହା ଭାରତର ଦୃଷ୍ଟିକୋଣକୁ ସ୍ଥିରତାରୁ ବିଯୁକ୍ତାତ୍ମକକୁ ନିମ୍ନାୟିତ (downgrade) କରିଥିଲା। ଏହି ସଂକଟ ବେଳାରେ ଆର୍‌ବିଆଇ ତା’ର ଆର୍ଥିକ ଆଭିମୁଖ୍ୟ ପରିବର୍ତ୍ତନ କରୁ ବୋଲି ସରକାର ଚାହିଁପାରନ୍ତି। ରିଜର୍ଭ ବ୍ୟାଙ୍କ ସହ ସରକାରଙ୍କର ଯେଉଁ ସୁସମ୍ପର୍କ ରହିଛି, ତାକୁ ବିଚାରକୁ ନେଲେ ଜଣାପଡ଼ୁଛି ଯେ ସାମ୍ପ୍ରତିକ ମୁଦ୍ରାସ୍ଫୀତି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କ ପଲିସି ରେଟ୍‌ ବୃଦ୍ଧି କରି ନ ପାରେ।
ବର୍ତ୍ତମାନ ମୁଦ୍ରାସ୍ଫୀତିର ମୁଖ୍ୟ କାରକ ଖାଦ୍ୟଦ୍ରବ୍ୟର ମୂଲ୍ୟ ଯୋଗାଣ ହ୍ରାସ ଯୋଗୁ ଆକାଶଛୁଆଁ ହୋଇଥିବା ବେଳେ ଏ ସମସ୍ୟାର ନିରାକରଣ ପାଇଁ ଆର୍‌ବିଆଇ କିଛି କରୁ ବୋଲି ଅପେକ୍ଷା ନ କରି ସରକାର ତୁରନ୍ତ ନିଜେ କିଛି ପଦକ୍ଷେପ ନେବା ଉଚିତ। ବିଭିନ୍ନ ଖାଦ୍ୟଦ୍ରବ୍ୟ, ବିଶେଷକରି ଆଳୁ, ପିଆଜ ପ୍ରଭୃତିର ମୂଲ୍ୟବୃଦ୍ଧି ମୁଦ୍ରାସ୍ଫୀତିକୁ ଆହୁରି ଉଚ୍ଚକୁ ନେଇପାରେ। ମାସକୁ ମାସ ବିଭିନ୍ନ ପ୍ରକାର ଡାଲି ଦରବୃଦ୍ଧି ୮.୪ ପ୍ରତିଶତରୁ ୧୧.୭୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିପାଇ ଚାଲିଥିବାବେଳେ ପନିପରିବା ଦର ମାସକୁ ମାସ ୧୧.୪ ପ୍ରତିଶତରୁ ସିଧା ୨୬ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ମହାରାଷ୍ଟ୍ର ପରି ରାଜ୍ୟରେ ବନ୍ୟା ଯୋଗୁ ଯୋଗାଣ ହ୍ରାସ ପାଇବାରୁ ଦେଶର କିଛି ଅଞ୍ଚଳରେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ଛୁଇଁଲାଣି। ଏହି ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପିଆଜର ରପ୍ତାନି ଉପରେ କଟକଣା ଜାରିକରିବା ସହ ଏହାକୁ ଆବଶ୍ୟକତା ଅନୁସାରେ ବାହାରୁ ଆମଦାନି କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାହାରୁ ଆମଦାନି କରି ଦେଶରେ ବିତରଣ କରିବା ପାଇଁ ଏମ୍‌ଏମ୍‌ଟିସି ଓ ନାଫେଡ୍‌କୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ବାତ୍ୟା ବୁଲ୍‌ବୁଲ୍‌ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ମୂଲ୍ୟହ୍ରାସ ପାଇଁ ଯଦି ଆମଦାନି କରାଯାଏ, ତେବେ ଏହାର ମଧ୍ୟ ପ୍ରତିକୂଳ ପ୍ରଭାବ ରହିଛି। ସରକାର ଯଦି ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିପାରନ୍ତି, ତେବେ ଏହା ମୁଦ୍ରାସ୍ଫୀତି ହ୍ରାସରେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri