Categories: ଫୁରସତ

ଆଜିପର୍ଯ୍ୟନ୍ତ ଖୋଲୁନାହିଁ ଏହି ମନ୍ଦିରର ୭ମ ଦ୍ୱାର

ଭାରତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ସେଥିମଧ୍ୟରୁ ଅନେକ ମନ୍ଦିର ବେଶ୍‌ ରହସ୍ୟମୟ। ସେହିପରି ଏକ ମନ୍ଦିର ହେଉଛି କେରଳର ଥିରୁବନନ୍ତପୁରମ୍‌ରେ ଅବସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର। ଏହି ମନ୍ଦିରକୁ ଭାରତର ସବୁଠାରୁ ଧନୀ ମନ୍ଦିର ମଧ୍ୟ କୁହାଯାଏ। ଉକ୍ତ ମନ୍ଦିରରେ ଅନେକ ଗୁପ୍ତ ଗୃହ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କିଛି ଖୋଲାଯାଇଥିବା ବେଳେ ଏଥିରୁ କୋଟିକୋଟି ଭଣ୍ଡାର ମିଳିଛି। କିନ୍ତୁ ଏହାର ସପ୍ତମ ଦ୍ୱାର ଆଜି ପର୍ଯ୍ୟନ୍ତ ଖୋଲାଯାଇ ନାହିଁ କିମ୍ବା କେହି ଏହାକୁ ଖୋଲି ପାରିବେ ନାହିଁ ବୋଲି କୁହାଯାଏ। ଏହା ପଛରେ ଅନେକ ରହସ୍ୟ ମଧ୍ୟ ଲୁଚି ରହିଛି।

ଏହି ଐତିହାସିକ ମନ୍ଦିରଟି ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି। ଥିରୁବନନ୍ତପୁରମର ଅନେକ ପର୍ଯ୍ୟଟନ ସ୍ଥାନ ମଧ୍ୟରୁ ଏହା ଅନ୍ୟତମ। କୁହାଯାଏ,  ୧୬୦୦ ଶତାବ୍ଦୀରେ ଟ୍ରାଭାନକୋରର ରାଜାମାନଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା। ବିଶ୍ୱାସ ରହିଛି, ଏହି ମନ୍ଦିରରେ ଥିବା ଗୁପ୍ତ କୋଠରୀରେ ରାଜା ବିପୁଳ ପରିମାଣର ଧନ ଲୁଚାଇ ରଖିଥିଲେ।


ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ମନ୍ଦିରର ୬ଟି ଗୃହ ଖୋଲାଯାଇଛି। ଯେଉଁଥିରୁ ବହୁ ପରିମାଣର ସୁନା, ରୁପା ଏବଂ ହୀରା-ଅଳଙ୍କାର ମିଳିଛି। ସେଗୁଡ଼ିକର ମୂଲ୍ୟ କୋଟିକୋଟି ଅଟେ। କୁହାଯାଏ, ଏହି ମନ୍ଦିରର ସପ୍ତମ ତଳ ମହଲାର କବାଟ ଖୋଲିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ କବାଟରେ ଏକ ବଡ଼ ସାପର ଚିତ୍ର ଦେଖିବା ପରେ କାମ ବନ୍ଦ ହୋଇଥିଲା। ସପ୍ତମ ଦ୍ୱାର ଖୋଲିବା ଅନୁଚିତ ବୋଲି ବିଶ୍ୱାସ କରାଯାଏ।


ଏହି ଦ୍ୱାର ଅଭିଶାପିତ। ଯିଏ ଏହାକୁ ଖୋଲିବାକୁ ଚେଷ୍ଟା କରିବ ତା’ର ମୃତ୍ୟୁ ସୁନିଶ୍ଚିତ ଘଟିବ। ଏଥିସହିତ, ଏହି ଦ୍ୱାର ଖୋଲିଲେ ପୃଥିବୀରେ ବିପର୍ଯ୍ୟୟ ଘଟିବ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ଥରେ କିଛି ଲୋକ ଏହାକୁ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଷାକ୍ତ ସାପ କାମୁଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।


ବିଶ୍ୱାସ ରହିଛି, ଏହି ସପ୍ତମ ଦ୍ୱାର ଏକ ମନ୍ତ୍ର ସହିତ ବନ୍ଦ ହୋଇଯାଇଛି। ଏଥିରେ ସାମାନ୍ୟ ତ୍ରୁଟି ରହିଲେ ମଧ୍ୟ ମୃତ୍ୟୁ ସୁନିଶ୍ଚିତ। ଏହିସବୁ କାରଣ ଯୋଗୁ ମନ୍ଦିରର ସପ୍ତମ ଦ୍ୱାର ଆଜି ରହସ୍ୟମୟ ହୋଇରହିଯାଇଛି।

Share