ଆଜିଠୁ ପଞ୍ଚୁକ ବ୍ରତ:୫ ଦିନ ୫ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ ଅଫିସ,୮-୧୧: ଶୁକ୍ରବାରଠାରୁ ଆରମ୍ଭ ହେବ ମହା କାର୍ତ୍ତିକର ପଞ୍ଚୁକ ବ୍ରତ। ଶ୍ରୀମନ୍ଦିରରେ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପଞ୍ଚୁକ ବେଶ ଅନୁଷ୍ଠିତ ହେବ। ଶୁକ୍ରବାର ଶ୍ରୀମନ୍ଦିରରେ ହରି ଉତ୍‌ଥାପନ ଏକାଦଶୀ ନୀତି ସମ୍ପନ୍ନ ହେବା ସହିତ ମହାପ୍ରଭୁଙ୍କ ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ସେହିପରି ନଭେମ୍ବର ୯ରେ ବାଙ୍କଚୁଡ, ୧୦ରେ ତ୍ରିବିକ୍ରମ, ୧୧ରେ ଲକ୍ଷ୍ମୀନୃସିଂହ ଏବଂ ନଭେମ୍ବର ୧୨ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ। ପଞ୍ଚୁକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଏବଂ ହବିଷିଆଳିଙ୍କ ଭିଡ଼ ଜମିଲାଣି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏକାଦଶୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଗୋଟିଏ ଏବଂ କେବଳ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆଉ ଗୋଟିଏ ପୋଲିସ ବ୍ୟବସ୍ଥା ହୋଇଛି। ପଞ୍ଚୁକରେ ୩୦ ପ୍ଲାଟୁନ ଫୋର୍ସ ସହ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଫିସର ନିୟୋଜିତ ହେବେ ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ସେହିପରି ସେରକାରୀ ଲାଇଫ୍‌ଗାର୍ଡଙ୍କ ସମେତ ନୋଳିଆ ସମ୍ପ୍ରଦାୟର ଯୁବକଙ୍କୁ ବେଳାଭୂମିରେ ନିୟୋଜିତ କରାଯିବ। ଜଗନ୍ନାଥ ବଲ୍ଲଭ, ପୁରୁଣା ଜେଲ ପଡ଼ିିଆ, ଶରଧାବାଲି, ଜିଲା ସ୍କୁଲ, ଯାତ୍ରୀକା, ଲୋକନାଥ ଘାଟ, ତାଳବଣିଆରେ ଚାରିଚକିଆ ଯାନ ପାର୍କିଂ ବ୍ୟବସ୍ଥା କରାଯାଇଛି। ମୋଚିସାହି ଛକ ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଏବଂ ମାର୍କେଟ ଛକସ୍ଥିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ବାଇକ୍‌ ପାର୍କିଂ କରାଯିବ। ଟାଉନ ଥାନାଠାରୁ ଆଗକୁ କାର୍‌, ଜିପ୍‌ ଆଦି ଚାରିଚକିଆ ଯାନ ମନ୍ଦିର ଆଡକୁ ଛଡ଼ାଯିବ ନାହିଁ।