ସୋମବାରଠାରୁ ଏସ୍‌ଭି ନିରତାରେ ୩୩ ଭାଗ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ: ପାନଛେପ ନ ପକାଇବା, ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ

କଣ୍ଟାପଡ଼ା,୩ା୫(ଡି.ଏନ୍‌.ଏ.) : କେନ୍ଦ୍ର ସରକାର ମହାମାରୀ କରୋନା ନିୟନ୍ତ୍ରଣ କରିବାକୁ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ସାରାଦେଶରେ ପୁନର୍ବାର ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଦେଶର ବିଭିନ୍ନ ଜିଲାକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ ଜୋନରେ ଚିହ୍ନଟ କରି କେତେକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଗ୍ରୀନ ଜୋନରେ ଆସୁଥିବା କଟକଜିଲାର ଏସ୍‌ଭି ନିରତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ରରେ ରୋଗୀସେବାକୁ ସ୍ବାଭାବିକ କରିବାକୁ ଅନୁଷ୍ଠାନ ପକ୍ଷରୁ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଅନୁଷ୍ଠାନକୁ ଆସୁଥିବା ରୋଗୀ ଓ କର୍ମଚାରୀ ସାମାଜିକ ଦୂରତ୍ୱକୁ ଠିକଭାବେ ଅନୁପାଳନ କରିବା ସହ ଏହାର ପରିସରରେ ଗୁଟ୍‌ଖା ଓ ପାନଛେପ ପକାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ସୋମବାର ଠାରୁ ୩୩ ଭାଗ କର୍ମଚାରୀଙ୍କୁ ନେଇ ସମସ୍ତ ବିଭାଗ ଖୋଲିବାକୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ସମସ୍ତ ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ କରାଯାଇଛି। କଟକ ଓ ଭୂବନେଶ୍ୱରରୁ ଆସୁଥିବା କର୍ମଚାରୀଙ୍କ ପାଇଁ ବସ୍‌ସେବା ଚାଲୁହେବା ସହ ବ୍ୟକ୍ତିଗତ ଗାଡ଼ିରେ ଆସୁଥିବା କର୍ମଚାରୀ ଗୃହବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ ଲାଇନ ପାଳନ କରିବାକୁ କୁହାଯାଇଛି। ଇଣ୍ଟର୍ଣ୍ଣସିପ୍‌ କରୁଥିବା ଛାତ୍ରୀଛାତ୍ର ସମସ୍ତ ଗାଇଡଲାଇନ ପାଳନ କରି କାର୍ଯ୍ୟରେ ଯୋଗଦେଇ ପାରିବେ ବୋଲି ଜଣାପଡ଼ିଛି। ସେହିପରି ଘରେ ରହୁଥିବା କର୍ମଚାରୀମାନେ ଆବଶ୍ୟସ୍ଥଳେ ଖବର ପାଇବା ସଙ୍ଗେସଙ୍ଗେ କାର୍ଯ୍ୟରେ ଯୋଗ ଦେବାକୁ ନିରତାରର ପ୍ରଶାସନିକ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।