Categories: ଜାତୀୟ

ଆଜମ ଖାନ୍‌ଙ୍କୁ ଲୋକ ସଭାରେ ରହିବାର ଅଧିକାର ନାହିଁ:ରମା ଦେବୀ

ନୂଆଦିଲ୍ଲୀ, ୨୬।୭: ସମାଜବାଦୀ ପାର୍ଟି (ଏସପି) ଏମ୍‌ପି ଆଜମ ଖାନଙ୍କୁ ନେଇ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ବାଚସ୍ପତି ଓମ ବିର୍ଲାଙ୍କ ଅନୁପସ୍ଥିତିରେ ଭାଜପା ଏମ୍‌ପି ରମା ଦେବୀ ଗୃହକାର୍ଯ୍ୟ ପରିଚାଳନା କରୁଥିଲାବେଳେ ଟ୍ରିପଲ ତଲାକ ବିଲ୍‌କୁ ନେଇ ଚାଲିଥିବା ଆଲୋଚନା ସମୟରେ ଆଜମ କହିଥିଲେ, ରମା ଦେବୀ, ଆପଣ ମୋତେ ଏତେ ଭଲ ଲାଗନ୍ତି ଯେ ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚାହେଁ। ଏହାକୁ ନେଇ ସଂସଦରେ ହଙ୍ଗାମା ହୋଇଥିଲା। ଏପରିକି ଆଜମ କ୍ଷମା ମାଗନ୍ତୁ ବୋଲି ସମସ୍ତେ ଦାବି କରିଥିଲେ। ଏନେଇ ପ୍ରତିକ୍ରିୟା ରଖି ରମାଦେବୀ କହିଛନ୍ତି, ଆଜମ ଖାନ୍‌ ମହିଳାଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି। ତାଙ୍କୁ ଲୋକ ସଭାରେ ରହିବାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି। ବାଚସ୍ପତି ଓମ ବିର୍ଲା ନିଜ ଆସନକୁ ଫେରିବା ପରେ ଆଜମ ଖାନ୍‌ ସତର୍କ କରାଇବା ସହ କ୍ଷମା ମାଗିବାକୁ କହିଥିଲେ। ଏତବ୍ୟତୀତ ଗୃହର ରେକର୍ଡରୁ ଏହି ମନ୍ତବ୍ୟ ବାଦ ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଆଜମ ଖାନ କ୍ଷମା ମାଗି ନ ଥିଲେ। ପରେ ଆଜମ ସଫେଇ ଦେଇ କହିଥିଲେ, ମୁଁ ଆପଣଙ୍କୁ ସମ୍ମାନ କରେ, ଆପଣ ମୋ ଭଉଣୀ ଭଳି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଥିଲେ, ଆଜମ ଖାନ ରମା ଦେବୀଙ୍କୁ ଅସମ୍ମାନିତ କରିବାକୁ ଚାହୁଁ ନ ଥିଲେ।

Share