ଆଗାମୀ ଫିଲ୍ମରେ ସ୍ତ୍ରୀ ରୋଗ ବିଶେଷଜ୍ଞ ହେବେ ଆୟୁଷ୍ମାନ: ବିପକ୍ଷରେ ନାୟିକା ସାଜିବେ ଓଲାୟା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଅଭିନୟ କ୍ୟାରିୟରରେ ସବୁବେଳେ ନୂଆ ନୂଆ ଚ୍ୟାଲେଞ୍ଚ ନେବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ସେ ବଲିଉଡ୍‌ରେ ବେଶ୍‌ ପରିଚିତ ମଧ୍ୟ। ଫିଲ୍ମରେ ତାଙ୍କୁ କେତେବେଳେ ଗେ’ ଚରିତ୍ରରେ ତ ଆଉ କେତେବେଳେ ଲଣ୍ଡା ଭୂମିକାରେ ଦେଖିବାକୁ ମିଳିଛି। ଏବେ ସେ ଆଉ ଏକ ଚ୍ୟାଲେଞ୍ଚ ପାଇଁ ପ୍ରସ୍ତୁତ। ଏଥର ତାଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଚରିତ୍ରରେ ଦେଖିବାକୁ ମିଳିବ। ‘ସ୍ତ୍ରୀ ରୋଗ ବିଭାଗ’ ନାମରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହା ଏକ ସାମାଜିକ ଡ୍ରାମା ଧର୍ମୀ ଫିଲ୍ମ ହେବ। ଏଥିରେ ଅଭିନୟ ପାଇଁ ଆୟୁଷ୍ମାନ ହଁ ମଧ୍ୟ କରିସାରିଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଓଲାୟା ଫର୍ଣ୍ଣିଚରଓ୍ବାଲାଙ୍କୁ ଦେଖିବାକୁ ମିଳିବ। ଓଲାୟାଙ୍କୁ ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ଜଓ୍ବାନୀ ଜାନେମନ୍‌’ ରେ ବଡ଼ ପରଦାରେ ଏଣ୍ଟ୍ରି କରିସାରିଛନ୍ତି।
ନିକଟରେ ରିଲିଜ୍‌ ହୋଇଥିଲା ଆୟୁଷ୍ମାନଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’। ଏଥିରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ପୂର୍ବରୁ ଫିଲ୍ମ ‘ବାଲା’ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିଣିଥିଲେ।

Share