Categories: ବାଣିଜ୍ୟ

ଆଉ ୫ ବର୍ଷରେ ଆର୍ଥିକ ସଂସ୍କାର ସାରିବାକୁ ହେବ: ପାନଗାରିୟା

ନ୍ୟୁୟର୍କ,୨୨-୪: ଭାରତରେ ଭାରି ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେଲେ ଗଭୀର ଶ୍ରମ ବିକାଶ ପ୍ରତି ଧ୍ୟାନ ଦେବାକୁ ହେବ। ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ କରିବା ସହିତ ଆଗାମୀ ୫ ବର୍ଷ ମଧ୍ୟରେ ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ ପୂର୍ଣ୍ଣ କରିବାକୁ ହେବ ବୋଲି ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା କହିଛନ୍ତି। ୨୦୧୫ ଜାନୁୟାରୀରୁ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ନୀତି ଆୟୋଗର ଉପାଧ୍ୟକ୍ଷ ରହିଥିବା ପାନଗାରିୟାଙ୍କୁ ସାଧାରଣ ନିର୍ବାଚନ ପରେ ଭାରତରେ ନୂଆ ସରକାରଙ୍କ ପ୍ରାଥମିକତା କ’ଣ ହେବା ଉଚିତ୍‌ ବୋଲି ପ୍ରଶ୍ନ ହେବାରୁ ସେ ଉକ୍ତ ମନ୍ତବ୍ୟ ଦେଇଛନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟରେ ରାଜ ସେଣ୍ଟର ଅନ୍‌ ଇଣ୍ଡିଆନ ଇକୋନୋମିକ ପଲିସିଜରେ ନିର୍ଦ୍ଦେଶକ ରହିଥିବା ପାନଗାରିୟା କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ତାଙ୍କର ମତହେଉଛି, ଭାରତକୁ ଆସନ୍ତା ୫ ବର୍ଷ ମଧ୍ୟରେ ଆର୍ଥିକ ସଂସ୍କାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଉଚିତ୍‌ ହେବ। ସୂଚନାଥାଉ କି, କଲମ୍ବିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଇଣ୍ଟରନ୍ୟାସନାଲ ଆଣ୍ଡ ପବ୍ଲିକ ଆଫେୟାର୍ସରେ ଦୀପକ ଏବଂ ନୀରଜ ରାଜ ସେଣ୍ଟର ନୀତି ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିବା ତଥା ଗବେଷଣା କରିବା ଏବଂ ନିଜର ବିଶେଷଜ୍ଞତା ପ୍ରଦାନ ପାଇଁ ପ୍ରସିଦ୍ଧ। ଏହି ଭାରତର ସମୃଦ୍ଧି ବୃଦ୍ଧିରେ ସହାୟତା କରିବା ସହ ବିଶ୍ୱ ଅର୍ଥନୀତିରେ ଭାରତର ଭୂମିକା ନିର୍ଦ୍ଧାରଣ କରିଥାଏ। ପ୍ରାଥମିକ କ୍ଷେତ୍ର ଗୁଡ଼ିକ ଉପରେ ମାର୍ଗଦର୍ଶନ କରି ପାନଗାରିୟା କହିଛନ୍ତି ଯେ, ଭାରତକୁ ଅଧିକ ମାତ୍ରାରେ ନିଯୁକ୍ତି ସୃଷ୍ଟି କରିବା ଲାଗି ବିଶେଷ କରି ଶ୍ରମ ସୃଷ୍ଟିକାରୀ କ୍ଷେତ୍ର ଯେପରିକି ଆପାରେଲ, ଫୁଟ୍‌ଓ୍ବିୟର, ଫର୍ନିଚର, କିଚେନଓ୍ବେୟାର ଏବଂ ଅନ୍ୟ ଲାଇଟ ମ୍ୟାନୁଫାକଚରିଂ ପ୍ରତି ଧ୍ୟାନ ଦେବାକୁ ହେବ।

Share