ଆଉ ଜଣେ ଭାରତୀୟ ଖେଳାଳି ଆହତ

ସାଉଥାମ୍ପଟନ,୨୦।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ସମସ୍ୟା ବଢ଼ିବାରେ ଲାଗିଛି। ଓପନର ଶିଖର ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିବା ବେଳେ ଭୁବନେଶ୍ୱର କୁମାର ଆହତ ସମସ୍ୟା ଯୋଗୁ କିଛି ମ୍ୟାଚ୍‌ରେ ଖେଳିପାରିବେ ନାହିଁ ବୋଲି ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ଆଉ ଏବେ ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇଛନ୍ତି। ସେ ବ୍ୟାଟିଂ ଅଭ୍ୟାସ କରୁଥିବାବେଳେ ଯଶପ୍ରୀତ ବୁମରାଙ୍କ ଏକ ୟର୍କର ତାଙ୍କ ଗୋଡ଼ର ଆଙ୍ଗୁଠିରେ ବାଜିଥିଲା। ଯନ୍ତ୍ରଣା ଯୋଗୁ ସେ ଆଉ ବ୍ୟାଟିଂ ଅଭ୍ୟାସରେ ଅଂଶଗ୍ରହଣ କରିପାରି ନ ଥିଲେ। ତାଙ୍କ ସମସ୍ୟା ଚିନ୍ତାଜନକ ନ ଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୪ର୍ଥ କ୍ରମରେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶଙ୍କର ପ୍ରବଳ ଦାବିଦାର। ଏଥିସହ ସେ ଜଣେ ଉପଯୋଗୀ ମିଡିୟମ ପେସର, ଯିଏକି ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ସମେତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ପାଇଥିଲେ। ଶଙ୍କରଙ୍କ ଆହତ ସମସ୍ୟା ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି। ଅନ୍ୟପକ୍ଷରେ ଭୁବନେଶ୍ୱରଙ୍କୁ ୮ ଦିନ ବିଶ୍ରାମ ଦିଆଯାଇଛି। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ଉପଲବ୍ଧ ହେବେ ବୋଲି ଆଶା କରାଯାଉଛି। ହେଲେ ଯଦି ସେ ଫିଟ୍‌ ହେବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଇ ବୋଲର ଖଲିଲ ଅହମ୍ମଦଙ୍କୁ ସୁଯୋଗ ମିଳିବ।

Share