Categories: ମେଟ୍ରୋ

ଆଇନ ଉଲ୍ଲଂଘନକାରୀଙ୍କୁ ଜଗୁଛି କ୍ୟାମେରା

କଟକ ଅଫିସ,୧୮ା୩: କଟକ ସହରର କୌଣସି ଛକରେ ଏବେ ଟ୍ରାଫିକ ପୋଲିସ ଗାଡି ଚାଳକଙ୍କୁ ଅଟକାଉନି। ଆଇନ ଉଲ୍ଲଂଘନକାରୀମାନେ ବେଧଡକ ଭାବେ ଗାଡି ଚାଳନା କରୁଛନ୍ତି। ତଥାପି ଦିନକୁ ୧ ହଜାରରୁ ଊର୍ଦ୍ଧ୍ୱ ଇ-ଚାଲାଣ କଟୁଛି। କରୋନା ଭୂତାଣୁ ସଂକ୍ରମଣର ଭୟ ଯୋଗୁ ଏଭଳି ବିକଳ୍ପ ବାଛିଚି କଟକ ଟ୍ରାଫିକ ଥାନା ପୋଲିସ। ଧରା ନ ପଡି ମଧ୍ୟ ଆଇନ ଉଲ୍ଲଂଘନକାରୀ ତଣ୍ଡ ଗଣୁଛନ୍ତି। ଟ୍ରାଫିକ ପୋଲିସ ପକ୍ଷରୁ ଲଗାଇଥିବା କ୍ୟାମେରାରେ କଏଦ ହେଉଛି ବାଇକ ଓ ବାଇକ୍‌ ଚାଳକଙ୍କ ଫଟୋ। ଏହାକୁ ଆଧାର କରି ଇ-ଚାଲାଣ କଟାଯାଉଛି ବୋଲି ଟ୍ରାଫିକ ଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସଂଶୋଧିତ ମୋଟରଯାନ ଆଇନ ମାର୍ଚ୍ଚ ପହିଲାରୁ ରାଜ୍ୟରେ କଡାକଡି ଭାବେ ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକରେ ମଧ୍ୟ ଟ୍ରାଫିକ ପୋଲିସ ପକ୍ଷରୁ ଧରପଗଡ ଜୋର୍‌ଦାର ହୋଇଥିଲା। ସହରର ପ୍ରମୁଖ ଛକଗୁଡ଼ିକରେ ସକାଳ ୯ଟାରୁ ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଥିଲା। ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲା। ତେବେ କିଛିଦିନ କରୋନା ଭାଇରସ ସଂକ୍ରମଣ ଭୟ ବୃଦ୍ଧି ପାଇବାରୁ କଟକ ଟ୍ରାଫିକ ଥାନା ପୋଲିସ ଭିନ୍ନ ଉପାୟରେ ଆଇନ ଉଲ୍ଲଘଂନକାରୀଙ୍କ ଉପରେ ନଜର ରଖିଛି। ପ୍ରତ୍ୟେକ ଟ୍ରାଫିକ ଅଧିକାରୀ, କର୍ମଚାରୀଙ୍କୁ ଏ ନେଇ ସ୍ବତନ୍ତ୍ର ତାଲିମ ଦିଆଯାଇଛି। କୌଣସି ଛକରେ ଗାଡି ଚାଳକଙ୍କୁ ଅଟକାଇବାର ଆବଶ୍ୟକତା ନାହିଁ। ଏପରି କି ସେମାନଙ୍କ ସଂସ୍ପର୍ଶରେ ନ ଆସିବାକୁ ଟ୍ରାଫିକ ଥାନା ପକ୍ଷରୁ କଡା ନିର୍ଦ୍ଦେଶ ରହିଛି। କେବଳ ଗାଡି ଯାଞ୍ଚ ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀମାନଙ୍କ ପୋଷାକରେ କ୍ୟାମେରା ଖଞ୍ଜାଯାଇଛି। ମଧୁପାଟଣା, ବାଦାମବାଡ଼ି, ଖାନ୍‌ନଗର, ଶିଖରପୁର ଭଳି ପ୍ରମୁଖ ଟ୍ରାଫିକ ଛକରୁ ନିୟମିତ ଶହଶହ ଫଟୋ ଆସୁଛି। ଯେଉଁଥିରୁ ନିୟମ ଉଲ୍ଲଂଘନକାରୀମାନେ ଫସିଛନ୍ତି। ତେବେ ଟ୍ରାଫିକ ପୋଲିସ ଏଭଳି ବିକଳ୍ପ ବାଛିଥିଲେ ସୁଦ୍ଧା ଗାଡି ଚାଳକ ଏ ସମ୍ପର୍କରେ ସୁରାକ ପାଇନାହାନ୍ତି। ଏବେ ଟ୍ରାଫିକ ଯାଞ୍ଚ ହେଉନି ବୋଲି ସହରରେ ଗୁଜବ ହେଉଥିବାବେଳେ ନିୟମ ଉଲ୍ଲଂଘନକାରୀ କିନ୍ତୁ କ୍ୟାମେରା ଲେନ୍ସରୁ ଖସି ପାରୁନାହାନ୍ତି। ଏ ସମ୍ପର୍କରେ ଟ୍ରାଫିକ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ।