ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୫ ଗିରଫ, ୪ ବାଇକ୍‌ ଜବତ

ତାଳଚେର,୧୨ା୩(ନି.ପ୍ର.)-ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ତଥା ଯୁବ ଆଇନଜୀବୀ ଦୟାସାଗର ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ତାଳଚେର ସାମନ୍ତ ସାହିର ରାମ ମହାରଥୀ (୨୨), ମହାଦେବ ବିହାରର ଶାଶ୍ୱତ କୁମାର ଦାସ (୨୬), ପାଇକ ସାହିର ଚିକୁ ଓରଫ ଦିବେଶ କମାର ଥମ୍ବ (୧୯), ତାଳବେଡା ଗ୍ରାମର ପତିଆ ଓରଫ ସାଗର ବେହେରା (୨୨), ବୀରବରପଲ୍ଲିର ମାନସ ଦେବତା। ପୋଲିସ ସେମାନଙ୍କ ଠାରୁ ୪ଟି ବାଇକ୍‌ ଜବତ କରିଛି ।
ପ୍ରକାଶ ଥାଉକି, ମଙ୍ଗଳବାର ହୋଲି ଖେଳ ବେଳେ ଦୟାସାଗର ଅନ୍ୟ ଜଣେ ଓକିଲ ବନ୍ଧୁ ପ୍ରଭାତ କୁମାର ମହାନ୍ତିଙ୍କ ସହ ନିଜ କାର (ନଂ. ଓଡି୩୫-୩୦୬୦) ଯୋଗେ ହାଟତୋଟା ଯାଉଥିଲେ। ଏହି ସମୟରେ ବଜାର ନିକଟ ମଙ୍ଗଳା ମନ୍ଦିର ରାସ୍ତାରେ ୭/୮ ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସହ ମିଶ୍ରଙ୍କୁ ଲୁହାଛଡ଼ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହି ଖବର ପାଇ ରାତିରେ ତାଳଚେର ଥାନାରେ ଶହଶହ ଲୋକ ରୁଣ୍ଢ ହେବାରୁ ଉତ୍ତେଜନା ଦେଖାଦେଇଥିଲା। ତାଳଚେର ଓକିଲ ସଂଘର ବହୁ ଆଇନଜୀବୀ ଥାନାରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ନିମନ୍ତେ ଦାବି କରିଥିଲେ। ଓକିଲ ସଂଘ ପକ୍ଷରୁ ଦୁଇ ଦିନ ପର୍ଯ୍ୟନ୍ତ କୋର୍ଟ ବର୍ଜନ କରାଯାଇଛି। ଆଇନଜୀବୀ ପ୍ରଭାତ ମହାନ୍ତି ତାଳଚେର ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନମ୍ବର ୯୨/୨୦ରେ ମାମଲା ରୁଜୁ କରି କରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରି ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।
ଫଟୋ- ଗିରଫ ଅଭିଯୁକ୍ତ ଓ ଜବତ ହୋଇଥିବା ବାଇକ୍‌।