ଆଇଟିବିପିର ‘ପେଟ ମୁକ୍ତ-୨୦୨୦’ ଅଭିଯାନ: ଫିଟ୍‌ ରହିବା ପାଇଁ ଅଧିକାରୀ ସ୍ବାମୀଙ୍କ ସହିତ ସ୍ତ୍ରୀ ମଧ୍ୟ କରିବେ ବ୍ୟାୟାମ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌-୫ ସହିତ ଅନ୍‌ଲକ୍‌ ଦେଶରେ ଜାରି ରହିଛି। ଏପରିସ୍ଥଳେ ଆଇଟିବିପିର ଅଧିକାରୀଙ୍କୁ ଫିଟ୍‌ ରଖିବା ଲାଗି ‘ପେଟ ମୁକ୍ତ-୨୦୨୦’(ବେଲି ଫ୍ରି-୨୦୨୦) ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ଫିଟ୍‌ ରହିବା ପାଇଁ ଅଧିକାରୀ ସ୍ବାମୀଙ୍କ ସହିତ ସ୍ତ୍ରୀ ମଧ୍ୟ ବ୍ୟାୟାମ କରିବେ। ଏନେଇ ଆଇଟିବିପି ମହାନିର୍ଦ୍ଦେଶକ ଏସ୍‌.ଏସ୍‌. ଦେଶଓ୍ବାଲ ସୂଚନା ଦେଇଛନ୍ତି। ଦେଶରେ ଆଇଟିବିପି ଏବଂ ବିଏସ୍‌ଏଫ୍‌ର ପ୍ରାୟ ସାଢ଼େ ଲକ୍ଷ କର୍ମଚାରୀ ଅଛନ୍ତି। ସେମାନଙ୍କୁ ଫିଟ୍‌ ରଖିବା ଲାଗି ଆଇଟିବିପି ଅଧିନରେ ଥିବା ୭୦ରୁ ୮୦ ଏକର ଜମିରେ ବ୍ୟବସ୍ଥା କରାଯିବ। ଏସବୁ ସ୍ଥାନରେ ଅଧିକାରୀ ଦମ୍ପତ୍ତିଙ୍କ ପାଇଁ ଫିଟ୍‌ନେସ୍‌ କୋର୍ସ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଆଇଟିବିପିର କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ୧୨୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,୫୮ ବର୍ଷ ବୟସ୍କ ଦେଶଓ୍ବାଲ ‘ଫିଟ୍‌ ଇଣ୍ଡିଆ’ ବାର୍ତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିକାନେରରୁ ଯୋଧପୁର ପର୍ଯ୍ୟନ୍ତ ୧୦୦ କିମି ୨୪ ଘଣ୍ଟାରେ ଚାଲିଚାଲି ଅତିକ୍ରମ କରିଥିଲେ।

Share