Categories: ବାଣିଜ୍ୟ

ଆଇଏମ୍‌ଏଫ୍‌ର ନୂଆ ମୁଖ୍ୟ ରେସ୍‌ରେ ରାଜନ

ନୂଆଦିଲ୍ଲୀ,୨୩-୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ନୂଆ ମ୍ୟାନେଜିଂ ଡାଇରେକ୍ଟର(ଏମ୍‌ଡି) ରେସ୍‌ରେ ସମସ୍ତଙ୍କ ଆଗରେ ରହିଛନ୍ତି। ଆଇଏମ୍‌ଏଫ୍‌ର ମୁଖ୍ୟ ଭାବେ କୌଣସି ଭାରତୀୟଙ୍କୁ ନିର୍ବାଚିତ କରିବା ଲାଗି ଆଗତ ପ୍ରସ୍ତାବକୁ ବ୍ରିଟେନ ସମର୍ଥନ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ଉପରେ ଚାପ ବଢ଼ିବାରେ ଲାଗିଛି ବୋଲି ବ୍ରିଟିଶ ମିଡିଆରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି କାରଣରୁ ରାଜନଙ୍କ ଚୟନ ସମ୍ଭାବନା ଅଧିକ ବଢ଼ିଯାଇଛି।
ସୂଚନାଥାଉ କି, କ୍ରିଷ୍ଟିନ ଲାଗାର୍ଡ ଗତ ସପ୍ତାହରେ ହଠାତ ଆଇଏମ୍‌ଏଫ୍‌ର ଏମ୍‌ଡି ପଦରୁ ଇସ୍ତଫା ଦେବା ପରେ ଏହା ବର୍ତ୍ତମାନ ଖାଲିପଡିଛି। ତାଙ୍କୁ ୟୁରୋପିୟନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରେସିଡେଣ୍ଟ ଭାବେ ୟୁରୋପିୟନ କାଉନସିଲ୍‌ ଚୟନ କରିଛି। ତେବେ ଲାଗାର୍ଡେଙ୍କ ଇସ୍ତଫା ସେପ୍ଟେମ୍ବର ୧୨ରୁ କାର୍ଯ୍ୟକାରୀ ହେବ। ବ୍ରିଟିଶ ଦୈନିକ ଖବର କାଗଜ ସଣ୍ଡେ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୟୁରୋପ ଓ ଆମେରିକା ବାହାରୁ ପରବର୍ତ୍ତୀ ଆଇଏମ୍‌ଏଫ୍‌ ମୁଖ୍ୟ ବାଛିବାକୁ ଦାବି ହେଉଥିବାରୁ ବ୍ରିଟିଶ ବୈଦେଶିକ ବ୍ୟାପାର କମିଟି ଅଧ୍ୟକ୍ଷ ଟିମ୍‌ ଟୁଗେଣ୍ଡହ୍ୟାଟ୍‌ ନିଜ ଦେଶର ବୈଦେଶିକ ସଚିବ ଜେରେମୀ ହଣ୍ଟଙ୍କୁ ପତ୍ର ଲେଖିଥିଲେ। ୫୩ ବର୍ଷୀୟ ରାଜନଙ୍କ ସମ୍ଭାବ୍ୟଙ୍କ ତାଲିକାରେ ସ୍ଥାନ ପାଇଥିବା ରିପୋର୍ଟରେ କୁହାଯାଇଛି। ରାଜନଙ୍କ ବ୍ୟତୀତ ଉକ୍ତ ପଦ ପାଇଁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପୂର୍ବତନ ଗଭର୍ନର ମାର୍କ କାର୍ନି, ଡେଭିଡ୍‌ କ୍ୟାମେରୁନ ସରକାରରେ ଚାନ୍ସେଲର ରହିଥିବା ଜର୍ଜ ଓସ୍‌ବର୍ନ ଓ ନେଦରଲାଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ତଥା ୟୁରୋଜୋନ ସଙ୍କଟମୋଚନ କମିଟିର ମୁଖ୍ୟ ଜେରୋଇନ ଡିଜସସେଲବ୍ଲୋଏମ୍‌ଙ୍କ ନାମ ବିଚାର କରାଯାଉଛି। ସଣ୍ଡେ ଟାଇମ୍ସର ଇକୋନୋମିକ ଏଡିଟର ଡେଭିଡ୍‌ ସ୍ମିଥ୍‌ଙ୍କ କହିବାନୁଯାୟୀ, ବିକାଶଶୀଳ ଦେଶରୁ କୌଣସି ବ୍ୟକ୍ତିଙ୍କୁ ଆଇଏମ୍‌ଏଫ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଅର୍ପଣ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ଭାରତର କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଗଭର୍ନର ରାଜନ ଏଥିପାଇଁ ଉପଯୁକ୍ତ ବ୍ୟକ୍ତି। ପୂର୍ବରୁ ରାଜନ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପରବର୍ତ୍ତୀ ଗଭର୍ନର ହୋଇପାରନ୍ତି ବୋଲି ବ୍ରିଟିଶ ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା, ଯାହାକୁ ସେ ନିଜେ ଖଣ୍ଡନ କରିଛନ୍ତି। ସେ ଏହି ପଦ ପାଇଁ ଆବେଦନ କରିନାହାନ୍ତି ବୋଲି କହିସାରିଛନ୍ତି।

Share