ଅସୁସ୍ଥ ଘୋଡ଼ାର ଚିକିତ୍ସା କଲେନି:ମରିବାକୁ ଛାଡ଼ିଦେଇ ମାଲିକ ପାର୍‌

ଅନୁଗୋଳ ଅଫିସ, ୨।୮- ପଶୁ ହେଲେ ବି ଜୀବନ ଅଛି। ଯନ୍ତ୍ରଣାରେ ଛଟପଟ ହେଉଛି। ଏପରି ଅବସ୍ଥାରେ ତା’ର ଯତ୍ନ ଜରୁରୀ। ହେଲେ ଅବିବେକୀ ମାଲିକ ଜଣକ ଏହା ବୁଝିଲେନି। ଅସୁସ୍ଥ ଘୋଡ଼ାର ଚିକିତ୍ସା ପରିବର୍ତ୍ତେ ମରିବାକୁ ଛାଡ଼ିଦେଇ ଅନ୍ୟ ଘୋଡ଼ା ନେଇ ଅନ୍ୟତ୍ର ଚାଲିଗଲେ। ଅନୁଗୋଳ ରନ୍ତଲେଇ ଅଞ୍ଚଳରେ ଘଟିଥିବା ଏପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଧ୍ୟପ୍ରଦେଶରୁ ୪ଟି ଘୋଡ଼ା ଧରି ଜଣେ ବ୍ୟକ୍ତି କିଛିଦିନ ତଳେ ଅନୁଗୋଳ ଆସିଥିଲେ। ସେ ପଞ୍ଚମହଲା ଠାରେ ଥିବା ଘାସ ଫାର୍ମ ପାଖରେ ଅସ୍ଥାୟୀ କ୍ୟାମ୍ପ କରି ମଧ୍ୟ ରହୁଥିଲେ। ବିବାହ କାର୍ଯ୍ୟରେ ଘୋଡ଼ା ବ୍ୟବହାର କରି ବେଶ୍‌ ଭଲ ରୋଜଗାର କରୁଥିଲେ। ୧୫ ଦିନ ତଳେ ଗୋଟିଏ କଳା ଘୋଡ଼ା ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସା କରି ଯନ୍ତ୍ରଣାମୁକ୍ତ କରିବା ପରିବର୍ତ୍ତେ ମାଲିକ ଜଣକ ତାକୁ ଖୋଲି ଦେଇଥିଲେ। ଅସୁସ୍ଥ ତଥା ଅସହାୟ ଅବସ୍ଥାରେ ଏଣେତେଣେ ବୁଲାବୁଲି କରୁଥିବା ଘୋଡ଼ାକୁ ଦେଖି ରନ୍ତଲେଇ ଜଙ୍ଗଲସାହି ଲୋକେ ଚିକିତ୍ସା ପାଇଁ ଉଦ୍ୟମ କରିଥିଲେ। ହେଲେ ସେମାନେ ବିଫଳ ହୋଇଥିଲେ। ଶେଷରେ ଅସୁସ୍ଥ ଘୋଡ଼ାଟି ଜାତୀୟ ରାଜପଥ ପାର୍ଶ୍ୱରେ ୨ ଦିନ ଧରି ପଡ଼ି ଛଟପଟ ହେବା ପରେ ଆଖିବୁଜି ଦେଲା। ଏହା ଜାଣିବା ପରେ କିଛି ଲୋକ ଘାସଫାର୍ମ ନିକଟକୁ ଆସି ମାଲିକଙ୍କୁ ଖୋଜାଖୋଜି କରିଥିଲେ ବି ସେ ଅନ୍ୟ ୩ଟି ଘୋଡ଼ା ଧରି ସେ କଟକ ଚାଲିଯାଇଥିବା ଜଣାପଡ଼ିଥିଲା। ହୃଦୟହୀନ ମାଲିକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ସମାଲୋଚନା କରାଯାଇଥିବା ବେଳେ ଗୃହପାଳିତ ପଶୁଙ୍କ ଉପରେ କିଛି କର୍ତ୍ତୃତ୍ୱ ନ ଥିବା ବନ ବିଭାଗ କହିଛି। ସେହିପରି ପ୍ରାଣୀଧନ ଚିକିତ୍ସା ବିଭାଗର ଜଣେ ଅଧିକାରୀ କହିଛନ୍ତି, ବିଭିନ୍ନ କାରଣରୁ ଘୋଡ଼ା ରୋଗଗ୍ରସ୍ତ ହୋଇପଡ଼ିଥାଏ। ବିଶେଷକରି ଖାଦ୍ୟ ଠିକ୍‌ ଭାବେ ଦିଆ ନ ଯିବା, କୃମି ଓ ଟିବି ରୋଗ ହେଲେ ଘୋଡ଼ା ଦୁର୍ବଳ ହୋଇପଡ଼ିଥାଏ। ତେବେ ଆବଶ୍ୟକ ଚିକିତ୍ସା କରାଗଲେ ରୋଗ ଭଲ ହୋଇଥାଏ। କିନ୍ତୁ ଚିକିତ୍ସା ନ କରି ଯେ କୌଣସି ଅସୁସ୍ଥ ଗୃହପାଳିତ ପଶୁଙ୍କୁ ରାସ୍ତାରେ ଛଟପଟ ହେବାକୁ ଛାଡ଼ିଦେବା ନିଶ୍ଚିତ ଏକ ଅପରାଧ। ହେଲେ ଏହି ଆଇନକୁ କେବେ କିଏ ପାଳନ କରିଥିବା ଦେଖାଯାଇନାହିଁ। ସେଥିପାଇଁ ଅନେକ ସମୟରେ ଏପରି ହୃଦୟହୀନ କାର୍ଯ୍ୟ କରାଯାଉଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।