ଅସାଧାରଣ ପାଣିପାଗ: ସନ୍ଦେହରେ ଭାରତ- ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୧୫।୬: ଏଠାରେ ରବିବାର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ଏହି ହାଇଭୋଲଟେଜ ମ୍ୟାଚ୍‌ ଉପରେ ଅସାଧାରଣ ପାଣିପାଗ ଯୋଗୁ ସଙ୍କଟ ଦେଖାଦେଇଛି। କଳା ବାଦଲ ଲାଗି ଚଳିତ ବିଶ୍ୱକପ୍‌ର ୪ ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇସାରିଛି। ସ୍ବତନ୍ତ୍ର ଭାବେ ନଟ୍ଟିଂହାମରେ କ୍ରମାଗତ ବର୍ଷା ଜାରି ରହିଥିଲା। ଯାହାଫଳରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଖେଳାଯାଇ ପାରି ନ ଥିଲା। ଫୁଟ୍‌ବଲ ସହର ମାଞ୍ଚେଷ୍ଟରରେ କ୍ରମାଗତ ବର୍ଷା ହେଉ ନ ଥିଲେ ମଧ୍ୟ ସମ୍ଭାବନା ରହିଛି। ଏଥିଯୋଗୁ ପିଚ୍‌କୁ କଭର୍ସରେ ଘୋଡ଼ାଇ ଦିଆଯାଇଛି। ଶୁକ୍ରବାର ଦିନ ଆରମ୍ଭରୁ ସାଧାରଣ ବର୍ଷା ହୋଇଥିଲା। କିନ୍ତୁ ୧୦.୩୦ ସୁଦ୍ଧା ବର୍ଷା ବନ୍ଦ ହେବା ପରେ ଖରା ଆସିଥିଲା। ତୁରନ୍ତ ଗ୍ରାଉଣ୍ଡ ଷ୍ଟାଫ କଭର୍ସ ହଟାଇବା ସହ ଗ୍ରାଉଣ୍ଡରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରୁ ଜଣାପଡ଼ୁଛି, ସେମାନେ କିଛି ଦିନ ହେଲା ଖରାକୁ ଅପେକ୍ଷା କରିଛନ୍ତି। ଭଲ କଥା ହେଉଛି ବର୍ଷା ବନ୍ଦ ହୋଇସାରିଛି। ପାଣିପାଗ ରିପୋର୍ଟ ଅନୁଯାୟୀ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏଠାରେ ମଝିରେ ମଝିରେ ବର୍ଷା ହେବ। ଶନିବାର ଓ ରବିବାର ଅଳ୍ପ ବର୍ଷା ହେବ। ମ୍ୟାଚ୍‌ ଦିନ ଅପରାହ୍ନରେ ବର୍ଷା ହୋଇପାରେ, ଯାହା କି ମ୍ୟାଚ୍‌ର ଦ୍ୱିତୀୟ ଭାଗକୁ ପ୍ରଭାବିତ କରିବ। ଗ୍ରାଉଣ୍ଡଷ୍ଟାଫଙ୍କ ଅନୁଯାୟୀ ଯଦି ଆଗାମୀ ଦୁଇଦିନ ଯଦି ବର୍ଷା ନ ହୁଏ, ତେବେ ସମ୍ପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇପାରିବ। ଗ୍ରାଉଣ୍ଡ ଓଦା ଥିବା ଯୋଗୁ ପାକିସ୍ତାନ ଦଳ ଇନ୍‌ଡୋର ପ୍ରାକ୍ଟିସ କରିଛି। ପାକ୍‌ ଖେଳାଳି ମହମ୍ମଦ ହାଫିଜ ଗ୍ରାଉଣ୍ଡ ଯାଞ୍ଚ କରିଥିଲେ।

Share