ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ଲୋଇସିଂହା, ୮।୪(ଡି.ଏନ.ଏ.): ବଲାଙ୍ଗୀର ସଦର ବ୍ଲକ ସକମା ପଞ୍ଚାୟତ ପକ୍ଷରୁ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଇବା ବ୍ୟବସ୍ଥା ଅଦ୍ୟାବଧି ଗ୍ରହଣ କରାଯାଇନାହିଁ। ପଞ୍ଚାୟତ ଅଧୀନ ଫାସଡ ଗ୍ରାମର ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ଗ୍ରାମର ପ୍ରାୟ ୨ଶହ ଅସହାୟଙ୍କୁ ବୁଧବାରଠାରୁ ରନ୍ଧାଖାଦ୍ୟ ଦେବା ବ୍ୟବସ୍ଥା କରାଯାଇଛି। ଏହାବାଦ୍‌ ଦେଢଶହ ଲୋକଙ୍କୁ ମାଗଣାରେ ମାସ୍କ ପ୍ରଦାନ କରାଯାଇଛି। ସୂଚନାମତେ, କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏଥିଯୋଗୁ ଗରିବ, ଅସହାୟଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଅସହାୟମାନଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଦେବାକୁ ଜିଲା ପ୍ରଶାସନକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ କରିଥିଲେ। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅନେକ ପଞ୍ଚାୟତ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ବ୍ଲକ ସକମା ପଞ୍ଚାୟତ ପକ୍ଷରୁ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଦେବା ବ୍ୟବସ୍ଥା କରାଯାଇନାହିଁ। ଫଳରେ ପଞ୍ଚାୟତ ଅଧୀନ ଫାସଡ ଗ୍ରାମର ଆଞ୍ଚଳିକ ମହିଳା ମଞ୍ଚ ଓ ପଞ୍ଚାୟତସ୍ତରୀୟ ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ଗତ ୬ ତାରିଖ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେହେଁ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ପରେ ଗ୍ରାମର ୨୧ଟି ଏସଏଚଜି ଗ୍ରୁପ ୧ ହଜାର ଲେଖାଏ ଚାନ୍ଦା କରି ଗ୍ରାମର ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଦେବାକୁ ସଂକଳ୍ପ ଗ୍ରହଣ କରିଥିଲେ। ବୁଧବାରଠାରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରାଯାଇଥିଲା। ପଞ୍ଚାୟତକୁ ଭରସା ନକରି ଆଗାମୀ ଦିନରେ ମଧ୍ୟ ଖାଦ୍ୟ ଦେବାକୁ ମନସ୍ଥ କରିଥିବା ଆଞ୍ଚଳିକ ମଞ୍ଚର ସବାନେତ୍ରୀ ଆନନ୍ଦିନୀ ପଧାନ, ପଦ୍ମିନୀ କରାଟ, ଗୋଲାପି ପଧାନ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ନେଇ ସରପଞ୍ଚ ଦୁର୍ଯ୍ୟୋଧନ ନାଗଙ୍କ ମୋବାଇଲ ନଂ ୭୭୩୫୧୮୮୫୮୪କୁ ଯୋଗଯୋଗ କରାଯାଇଥିଲା। ହେଲେ ସୁଇଚ ଅଫ ବତାଉଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ।