Categories: ଖେଳ

ଅଶ୍ୱିନଙ୍କୁ ଛାଡ଼ିବ କିଙ୍ଗ୍ସ ଏକାଦଶ

ନୂଆଦିଲ୍ଲୀ,୪।୯(ପିଟି): ଆଇପିଏଲର ଆଗାମୀ ସଂସ୍କରଣରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ (କେଏକ୍ସଆଇପି) ଛାଡ଼ିବା ନେଇ ସ୍ପଷ୍ଟ କରିଛି। ସେ ଗତ ଦୁଇ ସିଜନ ଲାଗି ପଞ୍ଜାବ ଦଳର ଅଧିନାୟକ ଥିଲେ। ୨୦୧୮ ଓ ୧୯ରେ ପଞ୍ଜାବ ଦଳ ଯଥାକ୍ରମେ ପଏଣ୍ଟ ଟେବୁଲର ୭ମ ଓ ୬ଷ୍ଠ ସ୍ଥାନରେ ରହିଥିଲା। ଏହା କାରଣ ହୋଇପାରେ ବୋଲି ଆଶା କରାଯାଉଛି। ଅଶ୍ୱିନଙ୍କୁ ଛାଡ଼ିବା ନେଇ ବିସିସିଆଇ ଅନୁମତି ଦେଇସାରିଛି। ଖୁବ୍‌ଶୀଘ୍ର ଏହା ଘୋଷଣା ହୋଇପାରେ। ଅଫ୍‌ ସ୍ପିନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଇଚ୍ଛା ପ୍ରକାଶ କରିଛି। କେଏକ୍ସଆଇପି ବହୁ ଚିନ୍ତା କରିବା ପରେ ଦଳକୁ ଜଣେ ଯୁବ ସ୍ପିନର ଦରକାର ଥିବା ସୂତ୍ରରୁ ଜଣାପଡ଼ିଛି। ୨୦୧୪ ସିଜନରେ ଉପବିଜେତା ହୋଇ ରହିବା ପରେ ଦଳ କୌଣସି ସଂସ୍କରଣରେ ପ୍ଲେ-ଅଫ୍ସରେ ପ୍ରବେଶ କରିପାରି ନାହିଁ। ଗତ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ୍ସ ଉପଦେଷ୍ଟା ସୌରଭ ଗାଙ୍ଗୁଲି ୩୨ ବର୍ଷୀୟ ସ୍ପିନରଙ୍କୁ ପାଇଲେ ଖୁସି ହେବେ ବୋଲି କହିଥିଲେ। ଅଶ୍ୱିନ ଦିନିକିଆ ଓ ଟି୨୦ ଦଳରେ ସ୍ଥାନ ହରାଇ ସାରିଛନ୍ତି। ଟେଷ୍ଟ ଏକାଦଶରେ ପୂର୍ବଭଳି ତାଙ୍କ ସ୍ଥାନ ପକ୍କା ନାହିଁ। ପଞ୍ଜାବ ଫ୍ରାଞ୍ଚାଇଜ ନୂଆ ମୁଖ୍ୟ କୋଚ୍‌ ନିଯୁକ୍ତ କରିବା ପରେ ଅଧିନାୟକ ବିଷୟରେ ଚିନ୍ତା କରିବ।

Share