ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ରେ ନଷ୍ଟ ହେବ କରୋନା ଭୂତାଣୁ

ନ୍ୟୁୟର୍କ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଦେଖାଦେଇଛି। କରୋନା ଭୂତାଣୁକୁ ରୋକିବା ପାଇଁ ବହୁ ଗବେଷଣା ମଧ୍ୟ ଜାରି ରହିଛି। ବାୟୁ ମଣ୍ଡଳରେ ଏହି ଭୂତାଣୁର ଉପସ୍ଥିତି ଯଦି ବଢ଼େ ତେବେ ସଂକ୍ରମଣକୁ ରୋକିବା ଅସମ୍ଭବ ହୋଇ ପଡ଼ିବ ବୋଲି ସମ୍ପ୍ରତି ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟ ସେଣ୍ଟର ଫର୍‌ ରିସର୍ଚ୍ଚ ସ୍କୁଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ର ମାତ୍ରା ବଢ଼ିଲେ କରୋନା ଭୂତାଣୁ ନଷ୍ଟ ହୋଇଯିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ର ପ୍ରଭାବରେ କରୋନା ଭୂତାଣୁର ଆର୍‌ଏନ୍‌ଏ ଆବରଣ ନଷ୍ଟ ହୋଇଯିବ। ଫଳରେ ଭୂତାଣୁ କ୍ରିୟାଶୀଳତା ହରାଇ ବସିବ। ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ ପ୍ରଭାବରେ ୯୦ ପ୍ରତିଶତ କରୋନା ଭୂତାଣୁ ନଷ୍ଟ ହୋଇଯିବେ ବୋଲି ସେଣ୍ଟର ଫର୍‌ ରିସର୍ଚ୍ଚ ସ୍କୁଲର ନିର୍ଦ୍ଦେଶକ ଡେଭିଡ୍‌ ବର୍ନର କହିଛନ୍ତି। ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ ଦ୍ୱାରା ସଂକ୍ରମିତ ରହୁଥିବା ରୁମ୍‌, ହସ୍ପିଟାଲ ଆଦିକୁ ସଫା କରାଯାଇପାରେ ବୋଲି ସେ କହିଛନ୍ତି। ଏହାଦ୍ୱାରା ତ୍ୱଚା ଉପରେ ମଧ୍ୟ ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ର କୌଣସି ଖରାପ ପ୍ରଭାବ ଅନୁଭୁତ ହେବାର ଆଶଙ୍କା ନାହିଁ। ପୃଥିବୀର ବହୁ ଦେଶରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଏହାପରେ ଅଲଟ୍ରାଭାୟୋଲେଟ୍‌ ଲାଇଟ୍‌ ଦ୍ୱାରା ସର୍ବସାଧାରଣ ସ୍ଥଳକୁ ସଫା କରିବା ଦ୍ୱାରା ସୁଫଳ ମିଳିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

Share