ଅର୍ଦ୍ଧାହାରରେ ବିତୁଛି ଦିନ

ହାଟଡିହୀ, ୪।୯(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଧବା ମହିଳା ବାସନ୍ତୀ ମଣ୍ଡଳ(୫୫) ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ତାଙ୍କ ସ୍ବାମୀ ଗୌରାଙ୍ଗ ଜେନା ପ୍ରାୟ ବର୍ଷେ ହେବ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ପରର ମୂଲମଜୁରୀ ଲାଗି ପେଟ ପୋଷିଥାନ୍ତି। ମାଟି ଝୁମ୍ପୁଡି, ଅଧାଭଙ୍ଗା ଘରେ ଏକାକୀ ଜୀବନ ଅତିବାହିତ କରୁଛନ୍ତି। ସେ ଏବେ ଥାଲେସେମିଆ ରୋଗରେ ପିଡିତ ହୋଇଛନ୍ତି। ତାଙ୍କ ଶରୀରର ମୁହଁ, ହାତ ଗୋଡ ଫୁଲିଯାଇଥିବାବେଳେ ଠିକ ଭାବେ ଚଳପ୍ରଚଳ କରିପାରୁ ନାହାନ୍ତି। ଫଳରେ ପରର ମୂଲ ମଜୁରୀ ଲାଗି ପେଟ ପାଇଁ ଦି ପଇସା ରୋଜଗାର କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଛି। କେବଳ ରାଶନ୍‌ କାର୍ଡରେ ଯାହା କିଛି ଯୋଗାଣ ସାମଗ୍ରୀ ମିଳୁଛି ତାହା ହିଁ ତାଙ୍କ ସାହା ଭରସା ହୋଇଛି। ଏହି ରାଶନ୍‌ କାର୍ଡରେ ତାଙ୍କୁ ମାସିକ କେବଳ ୫ କେଜି ଚାଉଳ ମିଳୁଛି। କେତେବେଳେ କିଏ ଗଣ୍ଡେ ଯଦି ଖାଇବାକୁ ଦିଏ, ତାକୁ ଖାଇ ଜୀବନ ବଞ୍ଚିଥାଏ। କିନ୍ତୁ ସରକାରୀ ଯୋଜନାରେ ତାଙ୍କୁ ଭତ୍ତାଟିଏ ଅଦ୍ୟାବଧି ମିଳିପାରିନିୁ କି ସରକାରୀ ଆବାସ ଗୃହ ଯୋଜନାରେ ଏହି ବିଧବାଙ୍କୁ ସାମିଲ କରାଯାଇପାରିନି। ବହୁ ସମୟରେ ଅର୍ଦ୍ଧାହାରରେ ଜୀବନ ବିତୁଛି। କିନ୍ତୁ ଏଥିପ୍ରତି ସ୍ଥାନୀୟ ଲୋକପ୍ରତିନିଧି କିମ୍ବା ବ୍ଲକ ପ୍ରଶାସନ ଏବଂ ଉପଖଣ୍ଡ ପ୍ରଶାସନ ଦୃଷ୍ଟି ନଦେବା ପରିତାପର ପ୍ରସଙ୍ଗ ସାଜିଛି। ବାସନ୍ତୀ କହିଛନ୍ତି ଯେ, ଏପରି ଅର୍ଦ୍ଧାହାରରେ ଆଉ କେତେ ଦିନ ବଞ୍ଚିବି, ପୁଣି ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନି। ଯଦି ପ୍ରଶାସନ ମୋ ପ୍ରତି ସଦୟ ହୁଅନ୍ତେ ତେବେ ମୁଁ ମୋର ବାକି ଜୀବନ ଶାନ୍ତିରେ କଟାଇପାରନ୍ତି। ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ କହିଛନ୍ତି ଯେ, ସରକାରୀ ଯୋଜନା ଏହି ମହିଳାଙ୍କ ପାଇଁ ଦିଗହରା ହୋଇପଡିଛି। ଜିଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।