ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଆକ୍ରମଣ: ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାହାନଗା,୧୯।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ନାୟିକବନ୍ଧ ନିକଟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ୩ ଦୁର୍ବୃତ୍ତ ଆକ୍ରମଣ କରି ୧ ଲକ୍ଷ ୬ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଥିରେ ୨ କର୍ମଚାରୀ ଗୁରୁତର ହୋଇ ସୋର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ଜଗନ୍ନାଥ ସ୍ବାଇଁ ଓ ରଶ୍ମିରେଖା ଦାସ।
ସୂଚନାଯୋଗ୍ୟ, ଜଗନ୍ନାଥ ଓ ରଶ୍ମି ସୋରସ୍ଥିତ ଭିମେଇ ଗ୍ରାମରୁ ଏସ୍‌ଏଚଜି ମହିଳାଙ୍କଠାରୁ ଟଙ୍କାନେଇ ଅଫିସ ଫେରୁଥିଲେ। ଏହି ସମୟରେ ଏକ ବାଇକ୍‌ରେ ୩ ଦୁର୍ବୃତ୍ତ ଆସି ମାରଣାସ୍ତ୍ରରେ ସେମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ନାୟିକବନ୍ଧ ନିକଟରେ ଟଙ୍କା ଲୁଟି ନେଇ ପଳାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।