ଅର୍ଥାଭାବ: ନିଜ ରାଜ୍ୟକୁ ଫେରିପାରୁନାହାନ୍ତି ୫ ପରିବାର

କୋରୁକୋଣ୍ଡା, ୨୨ା୫(ଡି.ଏନ୍‌.ଏ.)-ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ୫ଟି ପରିବାରର ପ୍ରାୟ ୨୫ ଜଣ ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ଗତ ୫ମାସ ତଳେ ଆସି ଯାଯାବର ରୂପେ ରହୁଥିଲେ। ସେମାନେ ପନିକି,ଦା ,କଟୁରି,କୁରାଢ଼ି ଆଦି ପ୍ରସ୍ତୁତକରି ବିକ୍ରିକରି ଚାଳୁଥିଲେ। ମାତ୍ର ଲକ୍‌ଡାଉନ ଘୋଷଣା ପରେ ସେମାନଙ୍କ ବ୍ୟବସାୟ ଠପ୍‌ ହୋଇଯାଇଥିଲା। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ନିଜ ରାଜ୍ୟକୁ ମଧ୍ୟ ଫେରିପାରି ନ ଥିଲେ। ସେମାନେ କ୍ରମେ ଅର୍ଥ ସଙ୍କଟର ସମ୍ମୁଖୀନ ହୋଇ ଚଳିବାରେ ଅସୁବିଧା ଭୋଗିଥିଲେ। ବାଲିମେଳା ଏନ୍‌ଏସି ପ୍ରଶାସନ ଏ ସମ୍ପର୍କରେ ସୂଚନା ପାଇବା ପରେ ସମସ୍ତ ଯାଯାବର ପ୍ରବାସୀଙ୍କୁ ବାଲିମେଳା ୧୨ନମ୍ବର ୱାର୍ଡସ୍ଥିତ କଲୋନୀ- ୧୨ ବିଦ୍ୟାଳୟକୁ ଆଣି ରଖିଥିଲା। ସେମାନଙ୍କ ଲାଗି ପାନୀୟଜଳ ବ୍ୟବସ୍ଥା କରି ଚଳିବା ପାଇଁ ଅଟା, ତେଲ,ଲୁଣ, ଡାଲି ଆଦି ଯୋଗାଇ ଦେଇଥିଲା। ସରକାର ଲକ୍‌ଡାଉନ ୪ର୍ଥ ପର୍ଯ୍ୟାୟରେ ସବୁ ପ୍ରକାର କାର୍ଯ୍ୟକୁ ଅନୁମତି ଦେବା ପରେ ଏହି ଯାଯାବର ପରିବାରଙ୍କୁ ଏନ୍‌ଏସି ଦେଉଥିବା ସହାୟତା ବନ୍ଦ କରି ଦେଇଛି। ସେମାନେ ପୂର୍ବପରି ସ୍ଥାନୀୟ ଅଞ୍ଚଳରେ ଲୁହା ସାମଗ୍ରୀ ପ୍ରସ୍ତୁତକରି ବିକ୍ରି କରୁଛନ୍ତି। ତେବେ ପୂର୍ବପରି ଆଉ ବ୍ୟବସାୟ ହେଉ ନ ଥିବାରୁ ସେମାନଙ୍କୁ ଚଳିବା କଷ୍ଟକର ହୋଇପଡୁଛି। ମହାମାରୀ ସଙ୍କଟ ସମୟରେ ପ୍ରଶାସନର ଉଦାରତାକୁ ସେମାନେ କେବେ ଭୁଲିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ତେବେ ଅର୍ଥ ନ ଥିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରୁନାହାନ୍ତି। ପ୍ରଶାସନ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି ସହାୟତା କରିବାକୁ ଏହି ଯାଯାବରମାନେ ନିବେଦନ କରିଛନ୍ତି।