ଅମ୍ଫନ୍‌ ବାତ୍ୟା ଯୋଗୁ ଭାରତ-ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବା ଆଶଙ୍କା: ୟୁନିସେଫ୍‌

ଜେନେଭା,୨୧।୫: ବୁଧବାର ଅମ୍ଫନ୍‌ ବାତ୍ୟା ଭାରତ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟା ଯୋଗୁ ଭାରତ ଏବଂ ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏନେଇ ୟୁନିସେଫ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ପଶ୍ଚିମବଙ୍ଗରେ ୫କୋଟି ଲୋକ ଅମ୍ଫନ୍‌ ଯୋଗୁ ପ୍ରଭାବିତ ହେବେ। ସେହିପରି ଏଠାରେ କୋଟିଏ ୬୦ ଲକ୍ଷ ଶିଶୁଙ୍କୁ ଖାଦ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀର ଅଭାବର ସମ୍ମୁଖୀନ ହେବାକୁ ପଡ଼ିବ। ବାଂଲାଦେଶର କୋକ୍ସ୍‌ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରର ୮ ଲକ୍ଷ ୫୦ ହଜାର ଶରଣାର୍ଥୀଙ୍କ ବାସସ୍ଥାନ ଉଜୁଡ଼ି ଯିବା ଦ୍ୱାରା ସ୍ଥିତି ସଙ୍କଟ ଜନକ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଜାତିସଂଘ ପକ୍ଷରୁ ଏନେଇ ୧୭ ଶହ ଭ୍ରାମ୍ୟମାଣ ରିଲିଫ୍‌ ଟିମ୍‌କୁ ନିଯୋଜିତ କରାଯାଇଥିବା ୟୁନିସେଫ୍‌ର ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଜିନ୍‌ ଗୌଘ୍‌ କହିଛନ୍ତି। ବାଂଲାଦେଶରେ ୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିବାବେଳେ ୨୦ ଲକ୍ଷ ଲୋକ ଅଧିକ ପରିମାଣରେ ପ୍ରଭାବିତ ହୋଇଥିବାର ଆକଳନ କରାଯାଇଛି।

Share