ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା,ପବନ: ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ

ବାରିପଦା ଅଫିସ,୨୦ା୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ବୁଧବାର ଭୋର୍‌ ୩ଟାରୁ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଲାଗିରହିଛି। ଜିଲାର ୨୬ଟି ବ୍ଲକ ମଧ୍ୟରୁ ରାସଗୋବିନ୍ଦପୁର, ମୋରଡ଼ା, ବାରିପଦା, ବେତନଟୀ, ଉଦଳା, କପ୍ତିପଦା, ଶୁଳିଆପଦା ଓ ବଡ଼ସାହି ଆଦି ୮ଟି ବ୍ଲକ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଠାରେ ସ୍ବତନ୍ତ୍ର ନଜର ରଖାଯାଇଛି। ସେହିଭଳି ଜିଲା ପ୍ରଶାସନ ପକ୍ଷରୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି। ବାତ୍ୟା ଅମ୍ଫନ ବିଷୟରେ କୌଣସି ସୂଚନା ପାଇଁ ଜିଲାର କଣ୍ଟ୍ରୋଲ ରୁମ୍‌ ନମ୍ବର ୦୬୭୯୨ – ୨୫୨୯୪୨କୁ ଯୋଗାଯୋଗ ପାଇଁ କୁହାଯାଇଛି। ଜିଲାର ସମସ୍ତ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବନ ହୋଇଥିବା ବେଳେ ଖୁଣ୍ଟା, ବାରିପଦା ବ୍ଲକର କେତେକ ସ୍ଥାନରେ ପବନ ଯୋଗୁ ଗଛ ରାସ୍ତାରେ ପଡ଼ିଛି। ବାରିପଦା ସହର ବେଲଗାଡ଼ିଆଠାରେ ଏକ ଗଛ ଭାଙ୍ଗି ଜଣକ ଘର ଉପରେ ପଡ଼ିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ। ଜିଲାର ପାଖାପାଖି ୮୦୦ ଆଶ୍ରୟସ୍ଥଳୀରେ ୮୫୦୦ ଲୋକଙ୍କୁ ରଖାଯାଇଥିବା ନେଇ ଜିଲା ଜରୁରିକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି।
ବାତ୍ୟା ଅମ୍ଫନ୍‌ ମୁକାବିଲା ପାଇଁ ଜିଲାର ୨୦ ଜଣିଆ ଟିମ୍‌କୁ ନେଇ ଏକ ଏନ୍‌ଡିଆରଏଫ୍‌ ଟିମ୍‌ ପ୍ରସ୍ତୁତ ରହିଛନ୍ତି। ସେହିଭଳି ୪ଟି ଓଡ଼୍ରାଫ ଟିମ୍‌ ଓ ଜିଲାର ୨୫ଟି ଅଗ୍ନ୍ନିଶମର କେନ୍ଦ୍ରର କର୍ମଚାରୀମାନେ ସଜାଗ ହୋଇ ରହିଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ିଥିବା ବେଳେ ତାହାକୁ କଟା ଯାଇ ରାସ୍ତାକୁ ସଫା କରାଯାଉଛି। ସେହିଭଳି ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଗୃହପାଳିତ ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖାଯାଇ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି। ଜିଲାରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।