ଅମିତାଭଙ୍କୁ କାହିଁକି କ୍ଷମା ମାଗିଲେ ଅମର ସିଂହ

ନୂଆଦିଲ୍ଲୀ,୧୮।୨: ସମାଜବାଦୀ ପାର୍ଟି(ଏସ୍‌ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ଏମ୍‌ପି ଅମର ସିଂହଙ୍କ ଖରାପ୍‌ ସ୍ବାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ ଜନିତ ସମସ୍ୟା ଥିବାରୁ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ବର୍ତ୍ତମାନ ଅମର ସିଂହ ଜୀବନର ଦୋଛକିରେ ଥିବା ବେଳେ ବାପାଙ୍କ ପୁଣ୍ୟତିଥି ଅବସରରେ ସେ ମଙ୍ଗଳବାର ଏକ ଟୁଇଟ କରିଛନ୍ତି। ଏହି ଟୁଇଟ ଜରିଆରେ ସେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ଲେଖିଛନ୍ତି, ମୁଁ ଦେଇଥିବା ଟିପ୍ପଣୀ ପାଇଁ ପଶ୍ଚାତାପ କରୁଛି। ସୂଚନାଯୋଗ୍ୟ, ବାପାଙ୍କ ପୂଣ୍ୟତିଥିରେ ଅମିତାଭଙ୍କ ପକ୍ଷରୁ ତାଙ୍କୁ ଏକ ବର୍ତ୍ତା ଆସିବା ପରେ ଅମର ଭାବୁକ ହୋଇପଡ଼ି ଏକ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ଦୂରରେ ଥାଇ ମଧ୍ୟ ଯେକୌଣସି ଅବସରରେ ଅମିତାଭ ତାଙ୍କୁ ସୁନ୍ଦର ସୁନ୍ଦର ବାର୍ତ୍ତା ପଠାଇଥାନ୍ତି। ଆଜି ମଧ୍ୟ ପଠାଇଛନ୍ତି। ଆଜି ଜୀବନର ଏଭଳି ସ୍ଥାନରେ ଅଛି ଯେଉଁଠାରେ ଜୀବନ ମରଣ ସହ ସଂଘର୍ଷ କରୁଛି। ସେତେବେଳେ ଅମିତାଭ ଓ ତାଙ୍କ ପରିବାରକୁ ଦେଇଥିବା ଟିପ୍ପଣୀ ଉପରେ ଦୁଃଖ ପ୍ରକାଶ କରିବା ସହ ପଶ୍ଚାତାପ କରୁଛି। ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ବୋଲି ସେ ଲେଖିଛନ୍ତି। ଏକଦା ଅମିତାଭ ଓ ଅମରଙ୍କ ଭିତରେ ନିବିଡ଼ ସମ୍ପର୍କ ରହିଥିଲା। ହେଲେ ସମୟକ୍ରମେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ଅମର ବଚ୍ଚନପରିବାରଙ୍କ ଉପରେ ଆଙ୍ଗୁଳି ଉଠାଇବା ସହ ସାର୍ବଜନିନଭାବେ ଟିପ୍ପଣୀ ରଖିଥିଲେ। ଏହାପରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଯାଇଥିଲା। ଏବେ ଏନେଇ ତାଙ୍କୁ ପଶ୍ଚାତାପ ହେବାରୁ ସେ ଅମିତାଭଙ୍କୁ କ୍ଷମା ମାଗିଛନ୍ତି।

Share