ଅମାନତ ହରାଇଲେ ୬୩ କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ,୧୨।୨: ନିର୍ବାଚନରେ କଂଗ୍ରେସକୁ ୫ ପ୍ରତିଶତରୁ କମ୍‌ ଭୋଟ ମିଳିଥିବାବେଳେ ୬୩ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ଦିଲ୍ଲୀକୁ ୧୫ ବର୍ଷ ଶାସନ କରିଥିବା କଂଗ୍ରେସ କ୍ରମାଗତ ଦ୍ୱିତୀୟ ଥର ଲାଗି ଖାତା ଖୋଲିପାରିନାହିଁ। ଏପରିକି ଦିଲ୍ଲୀ କଂଗ୍ରେସ ସଭାପତି ସୁଭାଷ ଚୋପ୍ରାଙ୍କ ଝିଅ ଶିବାନୀ ମଧ୍ୟ କାଲକାଜି ଆସନରେ ଅମାନତ ହରାଇଛନ୍ତି। କେବଳ ଅରବିନ୍ଦର ସିଂ ଲଭ୍‌ଲି, ଦେବେନ୍ଦର ଯାଦବ ଓ ଅଭିଷେକ ଦତ୍ତ ଅମାନତ ରକ୍ଷା କରିପାରିଛନ୍ତି। ଭାଜପା ୮ ଆସନ ଜିତିଥିବାବେଳେ ଏହାର ଭୋଟହାର ୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୫ ବିଧାନସଭା ନିର୍ବାଚନରେ ଭାଜପା ୩ଟି ଆସନରେ ବିଜୟୀ ହେବା ସହ ୩୨.୧୯ ପ୍ରତିଶତ ଭୋଟ ପାଇଥିଲା।
ଶୋଚନୀୟ ପରାଜୟ ପରେ କଂଗ୍ରେସ ଦିଲ୍ଲୀ ଶାଖା ସଭାପତି ପଦରୁ ସୁଭାଷ ଚୋପ୍ରା ଇସ୍ତଫା ଦେଇଛନ୍ତି। ସେ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଥିବା ଇସ୍ତଫାପତ୍ରରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ କରିଛନ୍ତି। କ୍ରମାଗତ ଦ୍ୱିତୀୟ ଥର ଲାଗି କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିବାକୁ ସକ୍ଷମ ହୋଇପାରି ନାହିଁ।

Share