Categories: ଫୁରସତ

ଅଭିଶପ୍ତ: ଯେତେ ଖୋଜିଲେ ବି ଯାହାର ଉତ୍ତର ମିଳେନା

ତାର ଆକର୍ଷଣରୁ କେହି କେବେ ନିଜକୁ ରୋକି ପାରେନା। ଆପେ ଟାଣି ହୋଇ ଚାଲିଯାଏ ତା’ ପାଖକୁ। କହିବାକୁଗଲେ ସେ ନିଜ ଆକର୍ଷଣର ମାୟାଜାଲରେ ସମସ୍ତଙ୍କୁ ଟାଣିଆଣେ ନିଜ ପାଖକୁ। ଆଉ ଥରେ ଆସିଗଲେ ସେ ଦିଏ ମୃତ୍ୟୁର ଉପହାର। ନେଇ ଚାଲେ ଗୋଟିକ ପରେ ଗୋଟିଏ ଜୀବନ। କାହା ପାଖକୁ ମୃତ୍ୟୁ କେଉଁ ରୂପରେ ଆସିବ ନ ଥାଏ ତା’ର ଠିକଣା। ଚାଲେ ମୃତ୍ୟୁର ଖେଳ। ଭୟର ବାତାବରଣ ଭିତରେ ଡରି ଡରି ଜିଇଁବାକୁ ହୁଏ। କାରଣ ଜାଣତରେ ହେଉ ଅବା ଅଜାଣତରେ ଅନେକେ ଏଭଳି ଜିନିଷର ସଂସ୍ପର୍ଶରେ ଆସିଥାନ୍ତି ଯାହାକୁ ଦୁନିଆ କହେ ଅଭିଶପ୍ତ…

ଦ କ୍ରାଇଂ ବୟ ପେଣ୍ଟିଂ, ଯେଉଁଠି ରହିଛି ସେ ଘର ଜଳିଛି: ନିରୀହ ଚେହେରା, ଲୁହଭରା ଆଖି। ଦେଖିଲେ ଲାଗେ ସତେ ଯେମିତି କଅଁଳ ବୟସରେ ଦୁଃଖର ପାହାଡ଼ ଅଜାଡ଼ି ହୋଇପଡିଛି। ଆଉ ତା’ ଆଖିରୁ ଝରିଯାଉଛି ଲୁହର ନଦୀ। ବହୁ ଚର୍ଚ୍ଚିତ ‘ଦ କ୍ରାଇଂ ବୟ ପେଣ୍ଟିଂ’ର ବାଳକକୁ ଦେଖିଲେ ମନକୁ ଏଇ କଥା ଆସେ। ଆଉ ଯେ କେହି ତା’ ମୋହରେ ପଡ଼ିଯାଏ। ହେଲେ ଏଇ ଆକର୍ଷକ ପେଣ୍ଟିଂ ସହ ଜଡିତ ହୋଇ ରହିଛି ଅନେକ ରକ୍ତଭିଜା କାହାଣୀ। ବିଶ୍ୱାସ କରାଯାଏ ଏହି ପେଣ୍ଟିଂ ଅଭିଶପ୍ତ। କାରଣ ଏହା ଯାହା ପାଖକୁ ଯାଇଛି ସେ ଘର ଜଳିପୋଡି ଛାରଖାର ହୋଇଯାଇଛି। ହେଲେ ଆଶ୍ଚର୍ଯ୍ୟଜନକଭାବେ ଭୟାବହ ଅଗ୍ନିକାଣ୍ଡ ଭିତରେ ବି ସେହି ପେଣ୍ଟିଂରେ ଦାଗଟିଏ ମଧ୍ୟ ଲାଗି ନ ଥାଏ। କ୍ରାଇଂ ବୟ ପେଣ୍ଟିଂ ହେଉଛି ଇଟାଲୀୟ ପେଣ୍ଟର୍‌ ଜିଓଭାନି ବ୍ରାଗୋଲିନଙ୍କର ମାସ୍‌ ପ୍ରଡ୍ୟୁସ୍‌ଡ ପ୍ରିଣ୍ଟ। ସେ ଏକାଭଳି ଅନେକ ପେଣ୍ଟିଂ କରିଥିଲେ। ୧୯୮୫, ସେପ୍ଟେମ୍ବର ୫ରେ ବ୍ରିଟିଶ ଟାବଲଏଡ ଖବରକାଗଜ ‘ଦି ସନ୍‌’ ମୁତାବକ ଦକ୍ଷିଣପୂର୍ବ ଇଂଲଣ୍ଡସ୍ଥ ଏସେକ୍ସର ଜଣେ ଫାୟାର ଫାଇଟର୍‌ ଦାବି କରିଥିଲେ ଯେ, ଜଳି ଯାଇଥିବା କିଛି ଘରେ ସେ କ୍ରନ୍ଦନରତ ବାଳକଙ୍କର ଫଟୋକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଯେଉଁଠି ଘର ଜଳିପୋଡ଼ି ଛାର୍‌ଖାର ହୋଇଯାଇଥାଏ ସେଠି ପେଣ୍ଟିଂ ଅକ୍ଷତ ଅବସ୍ଥାରେ ରହିବାଟା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ତା’ସହ ଏକାଭଳି କ୍ରନ୍ଦନରତ ବାଳକଙ୍କ ଫଟୋ ଭିନ୍ନ ଭିନ୍ନ ଅଗ୍ନିକାଣ୍ଡରେ ଦେଖି ତାଙ୍କ ଆଶ୍ଚର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଥିଲା। ଏହି ଘଟଣା ପରେ ହିଁ ଉକ୍ତ ପେଣ୍ଟିଂ ଅଭିଶପ୍ତ ବୋଲି ପ୍ରଚାର ହୋଇଯାଇଥିଲା। ଏହାକୁ ନେଇ ଅନେକ କାହାଣୀ ଯୋଡ଼ି ହୋଇଯାଇଥିଲା। କେହି କେହି କହିଥିଲେ ପେଣ୍ଟିଂ ହେଉଛି ଅନାଥ ବାଳକର, ଯାହା ଘର ପୋଡ଼ି ଯାଇଥିଲା। ତେବେ ଏହି ଅଭିଶାପ କାହାଣୀ ପଛର ସତ୍ୟତା ଜାଣିବାକୁ ବ୍ରିଟିଶ ଲେଖକ ତଥା ହାସ୍ୟ କଳାକାର ଷ୍ଟିଭ ପୁଣ୍ଟ ଚେଷ୍ଟା କରିଥିଲେ। ଅନେକ ଗବେଷଣା କରିଥିଲେ। ଆଉ ବିବିସି ରେଡିଓ ୪ରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ପେଣ୍ଟିଂଗୁଡିକରେ ନିଆଁ ନ ଧରିବା ଲାଗି ଏକପ୍ରକାରର ଭାର୍ନିଷ ଲଗାଯାଇଥିଲା। ହେଲେ ପେଣ୍ଟିଂ ଝୁଲିବା ପାଇଁ ଲାଗିଥିବା ଦଉଡ଼ିରେ ତାହା ବ୍ୟବହାର ହୋଇ ନ ଥିଲା। ତେଣୁ ନିଆଁ ସେଥିରେ ଲାଗି ପୋଡ଼ିଯିବା ଫଳରେ ପେଣ୍ଟିଂ ଓଲଟି ପଡ଼ିଥିଲା। ଫଳରେ ତାହା ପୋଡି ନ ଥିଲା। ତେବେ ଭୟାବହ ଅଗ୍ନିକାଣ୍ଡରେ ଏହା କେତେ ସମ୍ଭବ ଓ ଅନ୍ୟ ପେଣ୍ଟିଂ କ୍ଷେତ୍ରରେ ତାହା କାହିଁକି ଘଟିଲାନି ଅନେକଙ୍କ ମନରେ ପ୍ରଶ୍ନ ଉଠେ।

ତୁତନ୍‌ ଖାମନ୍‌ଙ୍କ ଅଭିଶାପ- ୧୯୨୨ରେ ବ୍ରିଟିଶ ପ୍ରତ୍ନତତ୍ତ୍ୱବିତ୍‌ ହାଓ୍ବାର୍ଡ କାର୍ଟର୍‌, ଇଜିପ୍ଟର ଭ୍ୟାଲି ଅଫ କିଙ୍ଗ୍ସରୁ ଫାରୋ ତୁତନଖାମନ୍‌ଙ୍କ ସମାଧି ଉଦ୍ଧାର କରିଥିଲେ। ଯେକି ଖ୍ରୀ.ପୂ. ୧୩୨୩ରେ ମାତ୍ର ୧୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ପୂର୍ବରୁ ଉଦ୍ଧାର ହୋଇଥିବା ସମାଧିଗୁଡ଼ିକ ଲୁଣ୍ଠିତ ଅବସ୍ଥାରେ ଥିବାବେଳେ ତୁତନ୍‌ଖାମନଙ୍କ ସମାଧିକୁ ଦେଖି ଲାଗୁଥିଲା ଯେମିତିକି ଏହାକୁ ପୂର୍ବରୁ କେହି ହାତ ବି ଲଗେଇ ନ ଥିଲେ। ଖୁବ୍‌ ଶାନ୍ତଚିତ୍ତରେ ଯୁବ ରାଜା ଶୋଇ ରହିଥିବା ଭଳି ଲାଗୁଥିଲେ। ତେବେ ଅଳ୍ପ କିଛିଦିନ ବ୍ୟବଧାନରେ ହାଓ୍ବାର୍ଡ କାର୍ଟର୍‌ଙ୍କ ଟିମ୍‌ ସଦସ୍ୟ ଏବଂ ସମାଧି ସ୍ଥଳକୁ ଦେଖିବା ପାଇଁ ଆସିଥିବା ବ୍ୟକ୍ତିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହେବାକୁ ଲାଗିଲା। ଫଳରେ ସମସ୍ତଙ୍କ ମନରେ ବିଶ୍ୱାସ ଜନ୍ମିଥିଲା ଯେ, ଏହା ହେଉଛି ତୁତନ୍‌ଖାମନ୍‌ଙ୍କ ନିଦ୍ରା ଭଙ୍ଗ କରିବାର ଅଭିଶାପ। ପ୍ରଥମ ମୃତ୍ୟୁ ପ୍ରୋଜେକ୍ଟକୁ ଫାଇନାନ୍ସ କରୁଥିବା ଇଜିପ୍ଟୋଲୋଜିଷ୍ଟ ଲର୍ଡ କାର୍ନାରଭନ୍‌ଙ୍କର ହୋଇଥିଲା। ତାଙ୍କୁ ଏକ ବିଷାକ୍ତ ମଶା କାମୁଡ଼ି ଥିଲା। ପରେ ଅଜାଣତରେ ସେଭିଂ ହେବା ସମୟରେ ସେହି ସ୍ଥାନରେ ହିଁ କଟି ଯାଇଥିଲା। ଫଳରେ ତାହା ଇନଫେକ୍ସନ ହୋଇଗଲା। ଆଉ ରକ୍ତ ବିଷାକ୍ତ ହୋଇ ସମାଧି ଖୋଲିବାର ମାତ୍ର ୪ମାସ ୭ ଦିନରେ ତାଙ୍କର ମୃତ୍ୟୁ ହେଲା। ଏହାପରେ ରେଡିଓଲୋଜିଷ୍ଟ ସର୍‌ ଅର୍କିବାଲ୍ଡ ଡଗୁଲାସ୍‌ ଯେକି ତୁତନ୍‌ଖାମନ୍‌ଙ୍କ ମମିର ଏକ୍ସ-ରେ କରିଥିଲେ, ହଠାତ୍‌ ଏକ ଅଜଣା ରୋଗରେ ମୃତ୍ୟୁବରଣ କଲେ। ତୁତନ୍‌ଖାମନ୍‌ଙ୍କ ସମାଧି ପରିଦର୍ଶନରେ ଆସିଥିବା ଜର୍ଜ ଜେ. ଗୋଲ୍ଡ ୧ ବି ଜ୍ୱରରେ ମୃତ୍ୟୁବରଣ କରିଥିଲେ। ଏମିତିଭାବେ ସମାଧି ଖୋଲିବାର ୧୦ ବର୍ଷ ଭିତରେ ଜଣକ ପରେ ଜଣେ କରି ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। ଯଦିଓ ସମାଧି ଖୋଲିଥିବା ହାଓ୍ବାର୍ଡ କାର୍ଟର ୧୦ ବର୍ଷ ପରେ ମୃତ୍ୟୁବରଣ କଲେ। ତେବେ ସେସବୁ ମୃତ୍ୟୁ ଅଭିଶାପଜନିତ ଥିଲା ନା ପ୍ରାକୃତିକ ତାହା ଏବେବି ରହସ୍ୟ ଘେରରେ।

ମୃତ୍ୟୁର ବସାନୋ ଭେସ୍‌- ଏହା ହେଉଛି ୧୫ ଶତାବ୍ଦିର ଏକ ସୁନ୍ଦର ଖୋଦେଇ ହୋଇଥିବା ରୁପାର ଭେସ୍‌ (ଫୁଲଦାନୀ)। ଇଟାଲୀ, ନାପୋଲିର ଏକ କନିଆକୁ ଉପହାର ସ୍ବରୂପ ଏହି ଭେସ୍‌ ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ ବିବାହ ରାତିରେ ହିଁ କନିଆଙ୍କୁ ହତ୍ୟା କରାଯାଇଥିଲା। ଆଉ ତାଙ୍କ ହାତରେ ଥିଲା ସେହି ଭେସ୍‌। ଏହାପରେ ଉକ୍ତ ଭେସ୍‌ ତାଙ୍କ ପରିବାର ଲୋକେ ରଖିଥିଲେ। କିନ୍ତୁ ତାକୁ ଯିଏ ବି ରଖିଲେ ଖୁବ୍‌ କମ୍‌ ଦିନ ଭିତରେ ରହସ୍ୟଜନକଭାବେ ମୃତ୍ୟୁବରଣ କଲେ। ତେଣୁ ତାକୁ କେଉଁ ଏକ ଅଜଣା ସ୍ଥାନରେ ବାକ୍ସ ଭିତରେ ପୂରାଇ ଲୁଚାଇ ଦିଆଗଲା। ତେବେ ବାକ୍ସ ଭିତରେ ”ସାବଧାନ! ଏହି ଭେସ୍‌ ମୃତ୍ୟୁ ଆଣିଥାଏ“ ଲେଖି ଏକ କାଗଜ ରଖାଯାଇଥିଲା । କିନ୍ତୁ ୧୯୮୮ରେ ଏହାକୁ ପୁଣିଥରେ ଦେଖିବାକୁ ମିଳିଥିଲା। ଆଉ ନିଲାମ କରାଯାଇଥିଲା। ବହୁମୂଲ୍ୟ ଦେଇ ତାକୁ ଜଣେ ସ୍ଥାନୀୟ ଫାର୍ମାସିଷ୍ଟ ନେଇ ଯାଇଥିଲେ। ଆଉ ଅନେକଦିନ ଧରି ବନ୍ଦ ହୋଇଯାଇଥିବା ମୃତ୍ୟୁର ଖେଳ ପୁଣି ଆରମ୍ଭ ହୋଇଗଲା। ମାତ୍ର ୩ ମାସ ଭିତରେ ସେହି ଫାର୍ମାସିଷ୍ଟଙ୍କର ରହସ୍ୟଜନକ ମୃତ୍ୟୁ ଘଟିଲା। ଘଟଣା ପରେ ପରିବାର ଲୋକେ ଭେସ୍‌ଟିକୁ ଜଣେ ବିଶିଷ୍ଟ ସର୍ଜନଙ୍କୁ ବିକ୍ରି କରିଦେଲେ, ଯେକି ଅଭିଶାପ ଆଦିକୁ ବିଶ୍ୱାସ କରୁ ନ ଥିଲେ। ତେବେ ମାତ୍ର ୨ ମାସରେ ସେହି ସର୍ଜନଙ୍କର ବି ମୃତ୍ୟୁ ହେଲା। ସେତେବେଳେ ତାଙ୍କୁ ବୟସ ମାତ୍ର ୩୭ ବର୍ଷ ହୋଇଥିଲା। ଏହାପରେ ଭେସ୍‌ଟିକୁ ଜଣେ ପ୍ରତ୍ନତତ୍ତ୍ୱବିତ୍‌ ନିଜ ସଂଗ୍ରହ ପାଇଁ କିଣିଥିଲେ। ଆଉ ମାତ୍ର ୩ ମାସ ପରେ ଅଜଣା ସଂକ୍ରମଣ ପାଇଁ ତାଙ୍କର ମୃତ୍ୟୁ ହେଲା। ତାଙ୍କ ପରିବାର ଲୋକେ ଅଭିଶପ୍ତ ଭେସ୍‌କୁ ବହୁ କମ୍‌ ମୂଲ୍ୟରେ ବିକିଦେଲେ। ଭେସ୍‌ର ନୂଆ ମାଲିକ ମାତ୍ର ୧ ମାସରେ ମୃତ୍ୟୁବରଣ କଲେ। ଆଉ ତାଙ୍କ ପରିବାର ଲୋକେ ତାକୁ ଝରକାପଟୁ ବାହାରକୁ ଫିଙ୍ଗିଦେଲେ। ହେଲେ ଦୁର୍ଭାଗ୍ୟବଶତଃ ତାହା ଜଣେ ପୋଲିସ୍‌ଙ୍କୁ ବାଜିଲା। ଆଉ ସେ ତାଙ୍କୁ ଫାଇନ୍‌ ଲଗାଇ ଭେସ୍‌ ନେବାକୁ କହିଲେ। ମୃତକଙ୍କ ପରିବାର ଲୋକେ କହିଥିଲେ ଜେଲ ଯିବୁ ପଛେ ସେହି ଅଭିଶପ୍ତ ଭେସ୍‌ ରଖିବୁ ନାହିଁ। ପରେ ସେହି ପୋଲିସ କର୍ମଚାରୀ ବିଭିନ୍ନ ସଂଗ୍ରହାଳୟକୁ ଦେବାକୁ ଚେଷ୍ଟା କରିଥିଲେ। ହେଲେ ଭେସ୍‌ଟିକୁ କେହି ବି ରଖି ନ ଥିଲେ। ବିଶ୍ୱାସ କରାଯାଏ, ଶେଷରେ ସେ ଏକ ପୁରୁଣା ସମାଧି ଖୋଳି ଏକ ଲିଡ୍‌ର କଫିନ୍‌ରେ ଭେସ୍‌କୁ ରଖି ପୋତିଦେଇଥିଲେ।

ଆନାବେଲ୍‌ ଦ ଡଲ୍‌- କନେକ୍ଟିକଟ୍‌, ହାର୍ଟଫୋର୍ଡରେ ନର୍ସିଂ ପଢୁଥିଲେ ଡୋନା। ଦିନେ ତାଙ୍କ ମା’ ଏକ ସେକେଣ୍ଡହ୍ୟାଣ୍ଡ ଦୋକାନରୁ ପୁରୁଣା ଜୀର୍ଣ୍ଣ କଣ୍ଢେଇଟିଏ କ୍ରିସ୍‌ମାସ୍‌ ଉପହାରଭାବେ କିଣି ତାଙ୍କୁ ପ୍ରଦାନ କରିଥିଲେ। କଣ୍ଢେଇଟି ତାଙ୍କୁ ବହୁତ ଭଲ ଲାଗିଥିଲା। ତେବେ ତାହା ଘରକୁ ଆସିବା ପରଠାରୁ ଅଜବ ଘଟଣା ଘଟିବାକୁ ଲାଗିଲା। କଣ୍ଢେଇକୁ ଯେଉଁ ସ୍ଥାନରେ ରଖାଯାଉଥିଲା ପରବର୍ତ୍ତୀ ସମୟରେ ତାକୁ ଅନ୍ୟ ସ୍ଥାନରେ ଦେଖିବାକୁ ମିଳୁଥିଲା। କାଗଜରେ ଲେଖା ଅନେକ ଛୋଟ ବାର୍ତ୍ତା ପାଇବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ, କଣ୍ଢେଇରେ ଏକ କୁନି ଝିଅର ଆତ୍ମା ପ୍ରବେଶ କରିଥିଲା। ଦିନେ ସେହି ଆତ୍ମା ଡୋନାଙ୍କ ବନ୍ଧୁଙ୍କୁ ବି ଆକ୍ରମଣ କରିଥିଲା। ଏହାପରେ ସେମାନେ ଭୂତପ୍ରେତ ଉପରେ ଅଧ୍ୟୟନ କରୁଥିବା ଇଡ୍‌ ଓ ଲୋରେନ୍‌ ଓ୍ବାର୍ନରଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଆଉ ତାଙ୍କୁ କଣ୍ଢେଇଟିକୁ ନେଇଯିବାକୁ କହିଥିଲେ। ଓ୍ବାର୍ନର ଜଣେ ପୂଜକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। କିନ୍ତୁ ସେ ଏହାକୁ ଗମ୍ଭୀରତାର ସହ ନ ନେଇ ଆନାବେଲ କଣ୍ଢେଇକୁ କେବଳ ଏକ ଜୀର୍ଣ୍ଣ କଣ୍ଢେଇ କହିଥିଲେ। ଆଉ ସେ ଘରକୁ ଯିବା ରାସ୍ତାରେ ଏକ ବଡ଼ ଦୁର୍ଘଟଣାର ଶିକାର ହେଲେ। ପରେ କଣ୍ଢେଇକୁ ତିନିପଟ କାଠ ଓ ଗୋଟିଏ ପଟ କାଚ ଥିବା ବାକ୍ସ ଭିତରେ ଓ୍ବାର୍ନର ଓକଲ୍ଟ ମ୍ୟୁଜିୟମ୍‌ରେ ରଖିଲେ। ପ୍ରତିଦିନ ଏହି ମ୍ୟୁଜିୟମ୍‌କୁ ପଣ୍ଡିତ ଆସି ପୂଜା କରନ୍ତି। ତେବେ ଦିନେ ଉକ୍ତ ମ୍ୟୁଜିୟମକୁ ଆସିଥିବା ଜଣେ ବ୍ୟକ୍ତି ସଂଗ୍ରହାଳୟର ନିୟମ ଅବମାନନା କରି ଆନାବେଲ୍‌ କଣ୍ଢେଇର କାଚ ଭାଙ୍ଗି ଆନାବେଲ୍‌କୁ ଛୁଇଁଥିଲେ। ଘଟଣାର କିଛି ସମୟ ପରେ ସଡ଼କ ଦୁର୍ଘଟଣାରେ ସେ ମୃତ୍ୟୁବରଣ କଲେ। ତେବେ ଏବେବି ଏହି କଣ୍ଢେଇରେ ହଲ୍‌ଚଲ୍‌ ହେବା ଲକ୍ଷ୍ୟ କରାଯାଏ।

ବସ୍‌ବି ଷ୍ଟୁପ୍‌ ଚେୟାର- ‘ଡେଥ୍‌ ମ୍ୟାନ୍ସ ଚେୟାର’ ଭାବେ ମଧ୍ୟ ଏହି ଚେୟାର ପରିଚିତ। ଯେ କେହି ଏହି ଚେୟାରରେ ବସନ୍ତି ମୃତ୍ୟୁ ନିଶ୍ଚୟ ଆସେ। ବିଶ୍ୱାସ କରାଯାଏ ଏହା ଏକ ଅଭିଶପ୍ତ ଚେୟାର। କୁହାଯାଏ ଏ ଚେୟାର ହେଉଛି ହତ୍ୟାକାରୀ ଥୋମାସ୍‌ ବସ୍‌ବିଙ୍କର। ଯେକି ନିଜ ଶ୍ୱଶୁର ଔଟିଙ୍କର ହତ୍ୟା କରିଥିଲା। ଦୁହେଁ ମିଶି ଜାଲ ମୁଦ୍ରା ଓ ଅନ୍ୟ ଅପରାଧିକ ବ୍ୟବସାୟ କରୁଥିଲେ। ଦିନେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କୁହାଯାଏ ବସ୍‌ବିଙ୍କ ଓକ୍‌ କାଠରେ ତିଆରି ପ୍ରିୟ ଚେୟାର୍‌ରେ ଔଟି ବସିବା ଯୋଗୁ ଝଗଡ଼ା ହୋଇଥିଲା। ଆଉ ଝଗଡାର ଅନ୍ତ ହତ୍ୟାରେ ହୋଇଥିଲା। ବସ୍‌ବି ଶ୍ୱଶୁର ଔଟିକୁ ହତ୍ୟା କଲେ। ଏହି ଅପରାଧ ପାଇଁ ବସ୍‌ବିଙ୍କୁ ମୃତ୍ୟୁଦଣ୍ଡ ଧାର୍ଯ୍ୟ କରାଗଲା।୧୭୦୨, ୟୁକେର ଉତ୍ତର ୟର୍କଶାୟରରେ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ସେ ଏକ ଅନ୍ତିମ ଇଚ୍ଛା ପୂରଣ କରିବାକୁ ନିବେଦନ କରିଥିଲେ। ଆଉ ତାହା ଥିଲା ତାଙ୍କ ପ୍ରିୟ ଚେୟାରରେ ବସି ଶେଷ ଡ୍ରିଙ୍କ୍‌ କରିବା। ବିଶ୍ୱାସ କରାଯାଏ ଚେୟାରରେ ବସିବା ସମୟରେ ହିଁ ବସ୍‌ବି ଚେୟାରକୁ ଅଭିଶାପ ଦେଇଥିଲେ ଯେ, ଯିଏ ମୋ ଚେୟାର୍‌ରେ ବସିବାର ଦୁଃସାହସ କରିବ ସେ ମୃତ୍ୟୁର ଦ୍ୱାରସ୍ଥ ହେବ। ଏହାପରଠାରୁ ଉକ୍ତ ଚେୟାରରେ ଯେ କେହି ବସିଛନ୍ତି ତାଙ୍କର ମୃତ୍ୟୁ ହୋଇଛି। ଶେଷରେ ଏହାକୁ ଥର୍ସ୍କ ସଂଗ୍ରହାଳୟରେ ରଖାଗଲା। ସେପୁଣି ଛାତରେ ଝୁଲନ୍ତା ଅବସ୍ଥାରେ। ଯେମିତିକି କେହି ଭୁଲରେ ବି ଏହା ଉପରେ ନ ବସନ୍ତି।

ଦ ଆଇସ୍‌ ମ୍ୟାନ୍‌- ସେପ୍ଟେମ୍ବର ୧୯୯୧ରେ ଅଷ୍ଟ୍ରିଆ ଓ ଇଟାଲୀ ସୀମାବର୍ତ୍ତୀ ଓଟଜାଲ ପର୍ବତରେ ଦୁଇଜଣ ଜର୍ମାନ ପର୍ବତାରୋହୀ ପର୍ବତାରୋହଣ କରୁଥାଆନ୍ତି। ସେହି ସମୟରେ ସେମାନଙ୍କୁ ମିଳିଲା ସୁସରଂକ୍ଷିତ ଅବସ୍ଥାରେ ଥିବା ପ୍ରାକୃତିକ ମମି। ବିଶ୍ୱାସ କରାଯାଏ ମମି ପାଲଟିଥିବା ବ୍ୟକ୍ତିଜଣକ ଖ୍ରୀ.ପୂ. ୩୩୦୦ ପ୍ରସ୍ତର ଯୁଗର। ପରେ ଏହା ‘ଓଟ୍‌ଜୀ’ ନାମରେ ପରିଚିତ ହେଲା। ତେବେ ଉଦ୍ଧାର ପରେ ପରେ ଆରମ୍ଭ ହୋଇଯାଇଥିଲା ମୃତ୍ୟୁର ଖେଳ। ରହସ୍ୟଜନକଭାବେ ଆଇସ୍‌ ମ୍ୟାନ୍‌ ସଂସ୍ପର୍ଶରେ ଆସିଥିବା ଅନେକଙ୍କର ମୃତ୍ୟୁ ହେଲା। ଆଉ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମିବାରେ ଲାଗିଲା ଯେ, ଏ ହେଉଛି ଶହ ଶହ ବର୍ଷ ଧରି ଶାନ୍ତିରେ ଶୋଇ ରହିଥିବା ଆଇସ୍‌ମ୍ୟାନ୍‌କୁ ଉଠାଇବା ଅଭିଶାପର ଫଳ। ପ୍ରଥମେ ଆଇସ୍‌ମ୍ୟାନକୁ ଉଦ୍ଧାର କରିଥିବା ଜର୍ମାନ ପର୍ବତାରୋହୀ ହେଲମଟ୍‌ ସିମୋନ୍‌ଙ୍କର ପର୍ବତର ସେହି ସ୍ଥାନରେ ଚଢୁଥିବା ସମୟରେ ମୃତ୍ୟୁ ହେଲା। ସିମୋନଙ୍କୁ ସମାଧି ଦେବାର କିଛି ସମୟ ପରେ ମାଉଣ୍ଟେନ୍‌ ରେସ୍କ୍ୟୁ ଟିମ୍‌ର ମୁଖ୍ୟ ଡିଟର୍‌ ଓ୍ବାର୍ନେକ ହୃଦ୍‌ଘାତରେ ମୃତ୍ୟୁବରଣ କଲେ। ଏହାର କିଛିଦିନ ପରେ ପ୍ରତ୍ନତତ୍ତ୍ୱବିତ୍‌ କନରାଡ୍‌ ସ୍ପିଣ୍ଡଲର୍‌, ଯେକି ସେହି ପ୍ରାଗ୍‌ଐତିହାସିକ ମୃତ ଶରୀର ତଥା ଆଇସ୍‌ମ୍ୟାନ୍‌କୁ ପରିଦର୍ଶନ କରିଥିଲେ, ତାଙ୍କଠାରେ ମଲ୍ଟିପଲ୍‌ ସ୍କଲେରୋସିସ୍‌ ସମସ୍ୟା(ମସ୍ତିଷ୍କ ଓ ମେରୁଦଣ୍ଡ ଅକାମୀ କରିଦିଏ)ଦେଖାଦେଲା। ଆଉ ତାଙ୍କର ମୃତ୍ୟୁ ହେଲା। ଓଟ୍‌ଜୀକୁ ପରୀକ୍ଷଣ କରୁଥିବା ଫରେନ୍ସିକ ଟିମ୍‌ର ମୁଖ୍ୟ ରେନର୍‌ ହେନ୍‌ ଆଇସ୍‌ମ୍ୟାନ୍‌ ଉପରେ ଭାଷଣ ଦେବାକୁ ଯିବା ସମୟରେ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଆଉ ଜଣେ ପର୍ବତାରୋହୀ କୁର୍ତ ଫ୍ରିଜ୍‌, ଯେକି ହେନ୍‌ଙ୍କୁ ଆଇସ୍‌ମ୍ୟାନ୍‌ର ଶରୀର ପ୍ରଦାନ କରିଥିଲେ, ତାଙ୍କର ମୃତ୍ୟୁ ତୁଷାର ସ୍ଖଳନରେ ହେଲା। ଓଟ୍‌ଜୀକୁ ବରଫ ପାହାଡ଼ର ସମାଧିରୁ ବାହାର କରିବା ସମୟର ଭିଡିଓ ଉତ୍ତୋଳନ କରିଥିବା ଅଷ୍ଟ୍ରିଆର ସାମ୍ବାଦିକ ରେନର୍‌ ହୋଏଜଲ୍‌ଙ୍କର ବ୍ରେନ୍‌ ଟ୍ୟୁମର୍‌ରେ ମୃତ୍ୟୁବରଣ ହେଲା। କେହି କେହି ଏସବୁ ମୃତ୍ୟୁକୁ ବିଧିର ବିଧାନ କହୁଥିବାବେଳେ ଅନେକେ ଆଇସ୍‌ମ୍ୟାନର ଅଭିଶାପର ଫଳ କହିଲେ।

ଦ ହ୍ୟାଣ୍ଡସ୍‌ ରେଜିଷ୍ଟ ହିମ୍‌ ପେଣ୍ଟିଂ- ଚିତ୍ରକର ବିଲ୍‌ ଷ୍ଟୋନହାମ୍‌ ୧୯୭୨ରେ ଏହି ପେଣ୍ଟିଂ କରିଥିଲେ। ଏଥିରେ ଏକ ଛୋଟ ବାଳକ ପାଖରେ ଏକ ଝିଅ କେଣ୍ଢଇ ଦେଖିବାକୁ ମିଳେ। ଦୁହେଁ ଏକ ଗ୍ଲାସ୍‌ ପ୍ୟାନେଲ୍‌ର ଦ୍ୱାର ସାମ୍‌ନାରେ ଠିଆ ହୋଇଛନ୍ତି। କାଚର କବାଟରେ ଅନେକ ହାତ ବି ଦେଖିବାକୁ ମିଳେ। ଷ୍ଟୋନ୍‌ହାମ୍‌ଙ୍କର ଏହି ପେଣ୍ଟିଂରେ ଥିବା ବାଳକଟି ହେଉଛି ସେ ନିଜେ( ୫ ବର୍ଷ ବୟସର ହୋଇଥିବା ବେଳର)। କବାଟଟି ଜାଗ୍ରତ ଦୁନିଆ ଓ କାଳ୍ପନିକ ତଥା ଅସମ୍ଭବ ଦୁନିଆକୁ ଅଲଗା କରୁଥିବା ଦର୍ଶାଏ। ଆଉ କଣ୍ଢେଇଟି ହେଉଛି କାଳ୍ପନିକ ଦୁନିଆକୁ ନେବା ପାଇଁ ଏକ ମାର୍ଗ ଦର୍ଶକ। କାଚ ଦ୍ୱାରରେ ଥିବା ହାତଗୁଡିକ ସମ୍ଭାବନା ତଥା ଅଲଗା ଦୁନିଆର ଜୀବନକୁ ଦର୍ଶାଏ। ତେବେ ଏହି ସୁନ୍ଦର ପେଣ୍ଟିଂଟି ଅଭିଶପ୍ତ ଭାବେ ବହୁ ପରିଚିତ। କାରଣ ଉକ୍ତ ପେଣ୍ଟିଂ ସହ ଜଡିତ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ୨୦୦୦ ମସିହାରେ ତ ଏହାକୁ ଇ-ବେରେ ଏହାର ଅଭିଶପ୍ତ କାହାଣୀ ସହ ବିକ୍ରି ପାଇଁ ରଖାଯାଇଥିଲା। ଆଉ କିଛି ଲୋକ ଦାବି କଲେ ଯେ, ସେହି ଫଟୋକୁ ପେଜ୍‌ରେ କେବଳ ଦେଖିବା ପରେ ହିଁ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ଏମିତିକି ପେଣ୍ଟିଂଟି ଯେଉଁ ଗ୍ୟାଲେରିରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ଓ ଉକ୍ତ ପେଣ୍ଟିଂ ଉପରେ ମନ୍ତବ୍ୟ ଦେଇଥିବା କ୍ରିଟିକ୍‌ ଦୁହିଁଙ୍କର ଏକ ବର୍ଷ ଭିତରେ ମୃତ୍ୟୁ ହୋଇଥିଲା।

ଦ ଆଙ୍ଗୁଇସ୍‌ଡ ମ୍ୟାନ୍‌ ପେଣ୍ଟିଂ- ଏହା ପୃଥିବୀର ବହୁ ପ୍ରସିଦ୍ଧ ଭୂତପ୍ରେତ ଗ୍ରସ୍ତ ବା ଅଭିଶପ୍ତ ପେଣ୍ଟିଂଭାବେ ପରିଚିତ। ଏହାସହିତ ଅନେକ ଭୟାନକ କାହାଣୀ ସବୁ ଜଡିତ ରହିଛି। କାହାରିକୁ ବି ଜଣା ନାହିଁ ଏହାର ଚିତ୍ରକର କିଏ କିନ୍ତୁ ଏହା ଜଣା ଅଛି ଯେ, ଚିତ୍ରକର ଉକ୍ତ ପେଣ୍ଟିଂ କରିବା ଲାଗି ରଙ୍ଗରେ ନିଜ ରକ୍ତ ମିଶାଇଥିଲେ। ଆଉ ପେଣ୍ଟିଂ ପ୍ରସ୍ତୁତ ହୋଇସାରିବା ପରେ ଆତ୍ମହତ୍ୟା କରିଥିଲେ। ଏହାର ବର୍ତ୍ତମାନର ମାଲିକ ଇଂଲଣ୍ଡ, କମ୍ବ୍ରିଆର ସିନ ରବିନସନ୍‌ କହନ୍ତି, ‘ଏହି ପେଣ୍ଟିଂ ମୁଁ ଜେଜେମା’ଙ୍କଠାରୁ ବଂଶଗତ ଭାବେ ପାଇଛି। ସେ ବି ବିଶ୍ୱାସ କରୁଥିଲେ କି ଏହା ଅଭିଶପ୍ତ।’ ରବିନସନ୍‌ କହନ୍ତି, ସେ ଯେବେ ଉକ୍ତ ପେଣ୍ଟିଂକୁ ନିଜ ଶୋଇବା ଘରେ ଟଙ୍ଗାଇଥିଲେ ସେଥିରୁ ଫୁସ୍‌ଫୁସ୍‌ କଥା ଶୁଣିବାକୁ ପାଉଥିଲେ। ଆଉ ରାତିରେ ସେଥିରୁ କରୁଣ କ୍ରନ୍ଦନ ସ୍ବର ଶୁଭୁଥିଲା। ତା’ସହିତ କିଛି ଛାୟା ଆତଯାତ ହେଉଥିବା ପରି ବି ଲାଗୁଥିଲା।

ବିଜ୍ଞାନ ସମ୍ମତ ନୁହେଁ। ହେଲେ ଅଭିଶପ୍ତ ଜିନିଷ ପାଇଁ ଯାଉଥିବା ଜୀବନ ପଛର ରହସ୍ୟକୁ ଏଯାଏଁ ବିଜ୍ଞାନ ବି ଉନ୍ମୋଚନ କରିପାରିନି। ତେଣୁ ବିଶ୍ୱାସ ଓ ବିଜ୍ଞାନ ଭିତରୁ ମଣିଷ କାହାକୁ ଗ୍ରହଣ କରିବ ଅନେକ ସମୟରେ ଦ୍ୱନ୍ଦ୍ୱରେ ପଡ଼ିଯାଏ।
-ଶିବାନୀ ମହାନ୍ତି

Share