ଅଭିଭାବକ ହେଲ୍‌ମେଟ୍‌ ନ ପିନ୍ଧିଲେ ସେମାନଙ୍କ ଝିଅପୁଅଙ୍କ ମାର୍କ କଟିବ: ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର ଅଫିସ୍‌,୨୪ା୮: ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌। କିନ୍ତୁ ଅସାବଧାନତା ଯୋଗୁ ଦୁର୍ଘଟଣାରେ ଦୈନିକ ବହୁ ଜୀବନ ହାନି ହେଉଛି। ଅନେକ ପରିବାର ସେମାନଙ୍କ ମୁରବିକୁ ହରାଉଛନ୍ତି। ଗୋଟିଏ ଦୁର୍ଘଟଣା ସାରା ପରିବାରକୁ ପ୍ରଭାବିତ କରୁଛି । ଏଣୁ ପିଲାମାନେ ଶପଥ ନିଅ, ଯଦି ଘରୁ ବାହାରିବା ବେଳେ ବାପା ହେଲ୍‌ମେଟ୍‌ ପିନ୍ଧି ନାହାନ୍ତି, ତେବେ ଗାଡ଼ିରେ ବସିବାକୁ ମନା କର ବୋଲି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଶନିବାର ସକାଳେ ବ୍ରହ୍ମପୁରସ୍ଥିତ ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲରେ ଆୟୋଜିତ ଟ୍ରାଫିକ୍‌ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏସ୍‌ପି ମିଶ୍ର ଏହି ପରାମର୍ଶ ଦେଇଛନ୍ତି। ଏଥିସହ ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ, ଯଦି କୌଣସି ଅଭିଭାବକ ହେଲ୍‌ମେଟ୍‌ ପିନ୍ଧି ନ ଥିବା ନଜରକୁ ଆସୁଛି, ତେବେ ସେମାନଙ୍କ ଝିଅପୁଅଙ୍କ ମୋଟ ମାର୍କରୁ ୫ ମାର୍କ କାଟି ଦିଆଯାଉ । ପିଲାମାନଙ୍କୁ ସ୍କୁଲରେ ଛାଡ଼ିବା ଏବଂ ସ୍କୁଲରୁ ନେବା ସମୟରେ ଯଦି ଅଭିଭାବକମାନେ ହେଲ୍‌ପେଟ୍‌ ପିନ୍ଧି ନାହାନ୍ତି, ତେବେ ଏ ନେଇ ସେମାନଙ୍କୁ ସଚେତନ କରାଯାଉ ବୋଲି ଏସ୍‌ପି ମିଶ୍ର ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ପ୍ରତ୍ୟେକ ଛାତ୍ରୀଛାତ୍ର ନିଜ ସହପାଠୀଙ୍କୁ ସମ୍ମାନ କରନ୍ତୁ, ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍‌ ବ୍ୟବହାରଠାରୁ ଦୂରେଇ ରହିବାକୁ ଏସ୍‌ପି ମିଶ୍ର ଗୁରୁତ୍ୱାରୋପ କରିଛନ୍ତି। ପରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ବେଳେ ଛାତ୍ରୀଛାତ୍ର ବୃକ୍ଷରୋପଣ, ଜଳ ସଂରକ୍ଷଣ, ତାପମାତ୍ରା ବୃଦ୍ଧି, ବନ୍ୟଜନ୍ତୁ ସୁରକ୍ଷା ଏବଂ ଟ୍ରାଫିକ୍‌ ନିୟମ ମାନିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ। ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସପାଲ୍‌ ସିଷ୍ଟର୍‌ ଜିନଥ୍‌, ଭାଇସ୍‌ ପ୍ରିନ୍ସପାଲ୍‌ ସିଷ୍ଟର୍‌ ବିନା, କ୍ଲବର ସଭାପତି ଭି. ଅଜୟ କୁମାର, ସମ୍ପାଦକ ପ୍ରଦ୍ୟୁମ୍ନ ବିଷୋୟୀଙ୍କ ସମେତ କ୍ଲବର ବହୁ ସଦସ୍ୟ ଏବଂ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ଯୋଗଦେଇ ପରିଚାଳନା କରିଥିଲେ ।