ଅଭିନୟରେ ସଫଳ ରହିଥିବା ସଲମାନ୍‌ ପ୍ରେମରେ ସବୁବେଳେ ବିଫଳ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାଁଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ଜୀବନରେ ତାଙ୍କର ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ହୋଇଛି। ତେବେ ପ୍ରତିଥର ଏଥିରେ ତାଙ୍କୁ ଧୋକା ମିଳିଛି । ଅଭିନୟରେ ସଫଳ ରହିଥିବା ସଲମାନ୍‌ ପ୍ରେମରେ ସବୁବେଳେ ବିଫଳ ହୋଇଛନ୍ତି। ପ୍ରେମ ସମ୍ପର୍କ ତୁଟିବା ପରେ ପ୍ରତିଥର କାନ୍ଦିଛନ୍ତି ଭାଇଜାନ୍‌। ମାତ୍ର ତାଙ୍କର ଆଶିକ୍‌ ଦିଲ୍‌ ପୁଣିଥରେ ପ୍ରେମ କରି ବସିଛି। ସଲମାନ୍‌ଙ୍କ ପ୍ରଥମ ପ୍ରେମିକା ଥିଲେ ସଙ୍ଗୀତା ବିଜଲାନୀ। ଦୁଇଜଣଙ୍କର ବିବାହ ପାଇଁ କାର୍ଡ ମଧ୍ୟ ଛପାଯାଇଥିଲା। ତେବେ ହଠାତ୍‌ ସଙ୍ଗୀତା ସଲମାନ୍‌ଙ୍କ ଠାରୁ ଦୂରେଇ ଯାଇଥିଲେ। ଏହାପରେ ସଲମାନ୍‌ଙ୍କ ଜୀବନରେ ସୋମୀ ଅଲ୍ଲୀଙ୍କ ଏଣ୍ଟ୍ରୀ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘ ୬ ବର୍ଷ ଧରି ରହିଥିଲା। ପରେ ସୋମୀ ପାକିସ୍ତାନ ଫେରି ଯାଇଥିଲେ। ସେହିପରି ଫାରିଆ ଆଲମ୍‌ଙ୍କ ସହିତ ସଲମାନ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଶେଷରେ ଏହା ସଫଳ ହୋଇ ପାରି ନ ଥିଲା। ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ସହିତ ସଲମାନ୍‌ଙ୍କ ସମ୍ପର୍କ ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ଫିଲ୍ମରେ ଅଧିକ ଗଭୀର ହୋଇଯାଇଥିଲା। ସମ୍ପର୍କକୁ ନେଇ ସଲମାନ ଅଧିକ ସକାରାତ୍ମକ ହୋଇପଡ଼ିଥିଲେ। ମାତ୍ର ଐଶ୍ଚର୍ଯ୍ୟା ଏହାକୁ ଭୁଲ୍‌ ସାବସ୍ତ୍ୟ କରି ମୁହଁ ଫେରାଇ ନେଇଥିଲେ। ଏହାପରେ ଭାଇଜାନ୍‌ଙ୍କ ଜୀବନରେ ସ୍ନେହା ଉଲ୍ଲାଲା ଆସିଥିଲେ। ମାତ୍ର ପରେ ସଲମାନ୍‌ ସମ୍ପର୍କକୁ ନେଇ ପଜେଟିଭ୍‌ ନ ରହିବାରୁ ଏଥିରେ ଆସିଥିଲା ଭଟ୍ଟା। ଏହାପରେ ସୁନ୍ଦରୀ କାଟରିନା କୈଫ୍‌ ସଲମାନ୍‌ଙ୍କ ଜୀବନରେ ଆସିଥିଲେ। ଦୁଇଜଣଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହୋଇଥିଲା। ସଲମାନ୍‌ଙ୍କ ପରିବାର କାଟରିନାଙ୍କୁ ପସନ୍ଦ ମଧ୍ୟ କରୁଥିଲେ। ତେବେ କାଟରିନା ଦୂରେଇ ଯାଇଥିଲେ। କାଟରିନାଙ୍କ ପରେ ଦବଙ୍ଗ ଭାଇଜାନ୍‌ଙ୍କ ଜୀବନରେ ଆସିଲେ ଲୁଲିଆ ବନ୍ତୁର। ଏହି ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ବିବାହ ହେବ ବୋଲି କୁହାଯାଉଥିଲା। ତେବେ ଏପର୍ଯ୍ୟନ୍ତ ଏହା ସଫଳ ହୋଇ ପାରିନି। ଏହାଛଡ଼ା ଜରୀନ୍‌ ଖାଁ ଏବଂ ସଂହଳୀ ସୁନ୍ଦରୀ ଜ୍ୟାକିଲିନ ଫର୍ଣ୍ଣାଡିଜ୍‌ଙ୍କ ସହିତ ସଲମାନ୍‌ଙ୍କ ସମ୍ପର୍କରେ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା ତେବେ ଶେଷରେ ସମ୍ପର୍କ ଫିକା ପଡ଼ିଯାଇଥିଲା। ଏବେ ପୁଣି ଭାଇଜାନଙ୍କ ନାମ କାଟରୀନାଙ୍କ ସହିତ ପୁଣି ଯୋଡ଼ି ହୋଇଛି। ମାତ୍ର ଏହାର କୌଣସି ନିଷ୍ପତ୍ତି ହୋଇପାରିନି। କେବେ ଦବଙ୍ଗ ଖାଁଙ୍କ ବିବାହରେ ଯୋଡ଼ି ମହୁରୀ ବାଜୁଛି ତାହା ଦେଖିବାକୁ ପ୍ରଶଂସକ ଚାହିଁ ବସିଛନ୍ତି।

Share