Categories: ଜାତୀୟ

ଅବେଳରେ କଂଗ୍ରେସକୁ ସୋନିଆ ସାହା

ନୂଆଦିଲ୍ଲୀ,୧୨ା୮: ଚଳିତବର୍ଷ ଶେଷ ଭାଗରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ୱ ନିଜ ହାତକୁ ନେଇଛନ୍ତି। ଖରାପ ସମୟରେ ଦଳର ମୁଖ୍ୟ ତ୍ରାଣକର୍ତ୍ତ୍ରୀ ଭାବେ ସେ ପୁଣିଥରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ବିରୋଧ ଦଳଗୁଡ଼ିକୁ ଏକାଠି କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି କୁହାଯାଉଛି। ୧୯ ବର୍ଷ କଂଗ୍ରେସର ନେତୃତ୍ୱ ନେଇ ସୋନିଆ କେନ୍ଦ୍ରରେ ଦୁଇଥର ଦଳକୁ କ୍ଷମତାକୁ ଆଣିବା ସହ ବିଭିନ୍ନ ରାଜ୍ୟରେ ଦଳକୁ କ୍ଷମତାସୀନ କରାଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ୨୦୧୭ରେ ସେ ନେତୃତ୍ୱରୁ ଓହରିଯାଇ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରାଇଥିଲେ। ଏହାର ୨୦ ମାସ ପରେ ୭୨ ବର୍ଷୀୟା ସୋନିଆ ପୁଣିଥରେ କଂଗ୍ରେସର ଲଗାମ ନିଜ ହାତକୁ ନେଇଛନ୍ତି। ଶନିବାର ରାତିରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ତାଙ୍କୁ ସର୍ବସମ୍ମତିକ୍ରମେ ଦଳର ଅନ୍ତରୀଣ ଅଧ୍ୟକ୍ଷ ବଛାଯାଇଥିଲା। ତାଙ୍କର ଦୀର୍ଘ ଅଭିଜ୍ଞତା ଓ ନେତୃତ୍ୱ ୧୩୪ ବର୍ଷର ସର୍ବପୁରାତନ ଦଳର ପୂର୍ବ ଗୌରବ ଫେରାଇଆଣିବ ବୋଲି ଆଶା କରାଯାଉଛି।
ଗାନ୍ଧୀ ପରିବାରର ରାଜନୈତିକ ଉତ୍ତରାଧିକାରୀ ହୋଇ ନ ପାରନ୍ତି ବୋଲି ଏକଦା ବିଚାର କରାଯାଉଥିବା ସୋନିଆ ଦଳର ସର୍ବାଧିକ ସମୟ ଅଧ୍ୟକ୍ଷ ରହିବାର ପରିଚୟ ହାସଲ କରିଛନ୍ତି। ଯେତେବେଳେ ସେ ଅବସର ନେବାକୁ ନିଷ୍ପତ୍ତି ନେଲେ ଏବଂ କଂଗ୍ରେସର ନେତୃତ୍ୱ ରାହୁଲ ଗାନ୍ଧୀଙ୍କ ହାତରେ ଦେଲେ, ତାଙ୍କୁ ପୁଣି ଥରେ ଫେରିବାକୁ ହେବ ବୋଲି କେତେକ ବିଶ୍ୱାସ କରୁଥିଲେ। କାରଣ ପ୍ରତି ନିର୍ବାଚନ ପରେ ଦଳର ସ୍ଥିତି ଅଧିକରୁ ଅଧିକ ଖରାପ ହେବାରେ ଲାଗିଥିଲା। ଗତ ଲୋକ ସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ନୈତିକ ଦୃଷ୍ଟିରୁ ନିଜକୁ ଦାୟୀ କରି ରାହୁଲ ଅଧ୍ୟକ୍ଷରୁ ଓହରିଯିବା ଓ ନିଜ ନିଷ୍ପତ୍ତିରେ ଅଟଳ ରହିବା ଦଳ ପାଇଁ ଆଶୀର୍ବାଦ ହେଲା ବୋଲି ଜଣେ କଂଗ୍ରେସ ନେତା କହିଛନ୍ତି। ତେବେ ଗାନ୍ଧୀ ପରିବାର ବାହାରେ ନେତା ଚୟନ କରିବା କଂଗ୍ରେସ ପାଇଁ ସମ୍ଭବ ନୁହେଁ ବୋଲି ସମାଲୋଚକମାନେ କହିଛନ୍ତି। କେବେ ନେତା ନିର୍ବାଚନ ହେବ ତାହା ସ୍ଥିର ହୋଇ ନ ଥିବାରୁ ସୋନିଆ ଦୀର୍ଘଦିନ ଅନ୍ତରୀଣ ଅଧ୍ୟକ୍ଷ ରହିପାରନ୍ତି ବୋଲି କୁହାଯାଉଛି।

Share