ଅବକାରୀ ଚଢ଼ାଉ : ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କଟକରୋଡ୍‌, ୧ା୭(ଡି.ଏନ୍‌.ଏ.) : ଅବକାରୀ ବିଭାଗ ସୋମବାର ସକାଳେ ରାଜଧାନୀରୁ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ବାଲେଶ୍ୱର ଜିଲା ରେମୁଣା ଥାନା ଅଧୀନ ମନ୍ଦାର ଗ୍ରାମର ସୁବଳ ସାମନ୍ତରାୟଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ସୂଚନା ଅନୁଯାୟୀ, ଗତ ୨ ବର୍ଷ ଧରି ସୁବଳଙ୍କ ଝିଅ ଓ ଜ୍ୱାଇଁ ଖଣ୍ଡଗିରି ଥାନା ଅଧୀନ କୋଳଥିଆ ନିକଟରେ ଏକ ଘର ଭଡ଼ା ନେଇଛନ୍ତି। ଉକ୍ତ ଘରେ ଅଭିଯୁକ୍ତ ଗଞ୍ଜେଇ ଗଚ୍ଛିତ ରଖୁଥିବାବେଳେ କଲିକତା ଏବଂ ଆନ୍ଧ୍ରକୁ ଚାଲାଣ କରିଥାନ୍ତି। ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳରୁ ଗଞ୍ଜେଇ ଆଣିବା ପରେ ବସ ଯୋଗେ ଅନ୍ୟ କେତେକ ବ୍ୟକ୍ତିଙ୍କ ମାଧ୍ୟମରେ କଲିକତାକୁ ପଠାଇଥାନ୍ତି ବୋଲି ସୁବଳ କହିଛନ୍ତି। ଅନ୍ୟପକ୍ଷରେ ଖଣ୍ଡଗିରି ଥାନା ଅଞ୍ଚଳରେ ଗଞ୍ଜେଇ କାରବାର ହେଉଥିବା ଅବକାରୀ ବିଭାଗକୁ ସୂଚନା ମିିଳିଥିଲା। ଏନେଇ ଭୁବନେଶ୍ୱର ମୋବାଇଲ ଏବଂ ଖୋର୍ଦ୍ଧା ଜିଲା ଅବକାରୀ ଟିମ୍‌ ସୋମବାର ସକାଳେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ସୁବଳଙ୍କୁ ଗିରଫ କରିଛି।