ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇଲି

ମୁମ୍ବାଇ: ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇ ରହିଛନ୍ତି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ନୀରୁ ବାଜ୍‌ଓ୍ବା। ୧୯୯୮ରେ ଦେବାନନ୍ଦଙ୍କ ‘ମେଁ ସୋଲା ବରସ୍‌ କୀ’ ହିନ୍ଦୀ ଫିଲ୍ମରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀଙ୍କର ଶେଷ ପଞ୍ଜାବୀ ଫିଲ୍ମ ‘ଶାଡା’ ଶୁକ୍ରବାର ଦେଶବ୍ୟାପୀ ରିଲିଜ ହୋଇଛି। ତାଙ୍କ ସହ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଦିଲ୍‌ଜିତ ଦୋସାଞ୍ଜ।
କ୍ୟାରିୟର କରିବାକୁ କାହିଁକି ଆଗେଇଲେ ନାହିଁ ପ୍ରଶ୍ନରେ ନୀରୁ କହିଲେ, ‘ଏକ ହିନ୍ଦୀ ଫିଲ୍ମ ପାଇଁ ଜଣକୁ ଭେଟିଥିଲି। ମୋତେ ଶୁଣାଇ ଦିଆଗଲା-ତୁମକୁ ଯାହା କୁହାଯିବ, ତାହା ଏଇଠି କରିବାକୁ ହେବ। ଏହା ଶୁଣି ଖୁବ୍‌ ଅସ୍ବସ୍ତିକର ଅନୁଭବ କରିବା ସହ ଏକମୁହାଁ ହୋଇ ସେଠାରୁ ଚାଲିଆସିଲି। ତା’ପରଠାରୁ ବଲିଉଡ୍‌ ଉଦ୍ୟମରେ ପୂର୍ଣ୍ଣଚ୍ଛେଦ ଟାଣିଛି।’
ପଞ୍ଜାବୀ ସିନେମାରେ ଅଭିନୟ କରି ବେଶ୍‌ ଖୁସି ଅଛନ୍ତି ବୋଲି ଅଭିନେତ୍ରୀ ପ୍ରକାଶ କରିଛନ୍ତି। ତାଙ୍କ ଅଭିନୀତ ‘ଶାଡା’ର ନିର୍ଦ୍ଦେଶନା ଦେଇଛନ୍ତି ଜଗଦୀପ ସିଦ୍ଧୁ। ଆଦୌ ବାହାହେବାକୁ ଚାହୁଁ ନ ଥିବା ଜଣେ ପଞ୍ଜାବୀ ବାଳିକାଙ୍କ ଜୀବନ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି।

Share