ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ‘୫-ଟି’ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ସହ ଆଇଏଏସ୍ ପ୍ରଶିକ୍ଷଣ ସମୟରେ ଏ ସମ୍ପର୍କରେ ପଢ଼ାଯାଇଥାଏ ବୋଲି ଗୁରୁବାର ମତ ରଖିଥିଲେ ଏମ୍ପି ତଥା ଭାଜପା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଏହାର ଜବାବ ରଖିଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇପିଏସ୍ ଅରୂପ ପଟ୍ଟନାୟକ। ସେ କହିଛନ୍ତି, ମୁଁ ତ ଆଇଏଏସ୍/ଆଇପିଏସ୍ ଟ୍ରେନିଂ ବେଳେ ଯାହା ହୁଏ ସବୁ ଜାଣିଛି। ସେଠାରେ ଆମେ ଲେଫ୍ଟ ରାଇଟ୍ ଶିଖିଥାଉ। ହେଲେ ଲୋକଙ୍କୁ କିଭଳି ହ୍ୟାଣ୍ଡେଲ କରାଯିବ ଟ୍ରେନିଂ ଦିଆଯାଏନାହିଁ। ସେ ଭଦ୍ର ମହିଳା ଟ୍ରେନିଂରେ ‘୫-ଟି’ ଶିଖିଥିବେ। ମୁଁ କିନ୍ତୁ ଟ୍ରେନିଂରେ କେବଳ ପରେଡ ଶିଖିଛି। ସେ ଯେବେ ମୁଖ୍ୟମନ୍ତ୍ରୀ ହେବେ ଏହାକୁ ବାତିଲ କରିଦେବେ। ମନ୍ତ୍ରୀ, ବିଧାୟକ ସମସ୍ତେ ସେବକ। ପବ୍ଲିକ୍ ଲାଇଫ୍ରେ କାହାର ପାଓ୍ବାର ଦରକାର ନାହିଁ ବୋଲି ସେ କହିଛନ୍ତି।
ପ୍ରକାଶଯୋଗ୍ୟ, ରେଳବାଇ ଷ୍ଟାଡିୟମରେ ଆୟୋଜିତ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅପରାଜିତା କଟାକ୍ଷ କରି କହଥିଲେ, ଏହା ଏକ ଅଭିନବ ପଦକ୍ଷେପ ନୁହେଁ। ଏହା ବହୁତ ପୁରୁଣା କଥା। ଶାସନର ୨୦ବର୍ଷ ପରେ ଏହାକୁ କାହିଁକି ଅଣାଗଲା। ଏହି ୨୦ ବର୍ଷ ଶାସନରେ କ’ଣ ୫-ଟି ସରକାରରେ ନ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ଏହାକୁ ଅଲଗା ବିଭାଗ କରି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବା ଠିକ୍ ନୁହେଁ। ଏହାଦ୍ୱାରା ଅନ୍ୟ ବିଭାଗଗୁଡ଼ିକ ଦୁର୍ବଳ ହୋଇଯିବ। ଆଇଏଏସ୍ ପ୍ରଶିକ୍ଷଣ ସମୟରେ ୫-ଟି ସମ୍ପର୍କରେ ପାଠ ପଢ଼ାଯାଇଥାଏ। ଏଣୁ ଏହା ସୁଶାସନ ନୁହେଁ ବରଂ ଏହା ମନ୍ତ୍ରୀ ଏବଂ ସଚିବଙ୍କ ଗାରିମା ଉପରେ ପ୍ରଶ୍ନ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଏହି ଯୋଜନା ସୁଶାସନ ଆଣିପାରିବ ବୋଲି ସେ ଭାବୁ ନ ଥିବା କହିଥିଲେ।


