ଅନ୍‌ଲାଇନରେ ମଗାଇଥିଲେ ମୋବାଇଲ୍‌, ଆସିଲା ନକଲି

ବ୍ରହ୍ମପୁର ଅଫିସ,୨୬ା୨: ଅନ୍‌ଲାଇନରେ ମୋବାଇଲ ଅର୍ଡର କରି ବ୍ରହ୍ମପୁରର ଜଣେ ଯୁବକ ହଟହଟ୍ଟା ହୋଇଛନ୍ତି। ଅସଲି ମୋବାଇଲ ବଦଳରେ ତାଙ୍କୁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଏକ ନକଲି ତଥା ଡମି ମୋବାଇଲ ମିଳିଛି। ଏ ନେଇ ଯୁବକ ଜଣଙ୍କ ସାଇବର ଥାନାରେ ଜଣାଇବା ପରେ ପୋଲିସ ହସ୍ତକ୍ଷେପ କରିଛି। ପୋଲିସ ପକ୍ଷରୁ ଉକ୍ତ ସଂସ୍ଥାକୁ ମୋବାଇଲର ସମସ୍ତ ମୂଲ୍ୟ ଫେରାଇବାକୁ କୁହାଯାଇଛି। ପୋଲିସ ହସ୍ତକ୍ଷେପ କରିବାରୁ ସଂସ୍ଥା ପକ୍ଷରୁ ଉକ୍ତ ଯୁବକ ତାଙ୍କ ଟଙ୍କା ଫେରିପାଇଛନ୍ତି।

ଅନଲାଇନରେ ମୋବାଇଲ ମଗାଇବା ପୂର୍ବରୁ ସମ୍ପୃକ୍ତ କମ୍ପାନୀ ବିଷୟରେ ଭଲ ଭାବେ ଯାଞ୍ଚ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରକାଶ ଯେ, ବଡବଜାର ଥାନା ଅନ୍ତର୍ଗତ ଓମବିହାରର ସୁମିତ ଗୌଡ଼ ନାମକ ଜଣେ ଯୁବକ ଚଳିତ ମାସ ୧୮ ତାରିଖରେ ଅନଲାଇନରୁ ଏକ ମୋବାଇଲ ମଗାଇଥିଲେ। ଏହି ମୋବାଇଲର ଦାମ ୨୨ ହଜାର ଟଙ୍କା ରହିଥିଲା। ମୋବାଇଲ ଡେଲିଭେରୀ ପୂର୍ବରୁ ଟଙ୍କା ପଇଠ କରିବାକୁ ସୁମିତଙ୍କୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ସେହିକ୍ରମରେ ସୁମିତ ସମସ୍ତ ଟଙ୍କା ପଇଠ କରିଥିଲେ। ୨୨ ତାରିଖରେ ତାଙ୍କ ପାଖକୁ ଏହି ମୋବାଇଲଟି ଡେଲିଭରି ହୋଇଥିଲା। ହେଲେ ସେ ପାର୍ସଲଟି ଖୋଲି ଦେଖିବା ପରେ ସେଥିରେ ମୋବାଇଲ ବଦଳରେ ଏକ ନକଲି ଫୋନ ରହିଥିଲା। ଏହା ଜାଣିବା ପରେ ସୁମିତ ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାକୁ ଠକେଇ ବିଷୟରେ ଜଣାଇଥିଲେ।