ଅନ୍ଧାରି ମୁଲକର ଆଲୋକ ଦୀପା: ସାଜିଛନ୍ତି ଅସହାୟ, ଦୁଃଖୀଙ୍କ ବନ୍ଧୁ

ବରଗଡ଼ ଜିଲା ମାଓବାଦୀ ଅଧ୍ୟୁଷିତ ପାଇକମାଲ ବ୍ଲକ ଟେମରି ଗ୍ରାମର ଚାରୁବାଳା ବାରିକ। ଡାକ ନାମ ଦୀପା। ଏକ ମଧ୍ୟବିତ୍ତ ପରିବାରରେ ତାଙ୍କ ଜନ୍ମ। ବାପା ଅମୃତଲାଲ ଜଣେ ଚାଷୀ, ମା’ ସୁଷମା ଅଙ୍ଗନୱାଡ଼ି କର୍ମୀ। ଏବେ ସ୍ନାତକୋତ୍ତର(ଶିକ୍ଷା) ପଢୁଥିବା ଦୀପା ଓଡ଼ିଶା ସରକାର ତଥା ଜିଲା ପ୍ରଶାସନ ପାଖରେ ଜଣେ ପରିଚିତ ନାମ। ଅସହାୟ, ଦୁଃଖୀଙ୍କ ବନ୍ଧୁ ସାଜିଛନ୍ତି ସେ। ପାଠପଢ଼ା ସହିତ ଅସହାୟଙ୍କୁ ସହାୟତା ପାଇଁ ଦୀପା ପ୍ରତିଦିନ ସରକାର, ଜିଲା ପ୍ରଶାସନ ସହିତ ଯୋଗାଯୋଗରେ ରୁହନ୍ତି। ସାମାଜିକ ଗଣମାଧ୍ୟମରେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବା ତାଙ୍କର ପ୍ରତିଦିନର କାମ। ଏଥିରେ ସେ ସଫଳତା ମଧ୍ୟ ପାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟୁଥିବା ଦୀପା ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ସାଜିଛନ୍ତି।

କେବଳ ଅସହାୟ ଲୋକଙ୍କୁ ସହାୟତା କରିବାରେ ଦୀପାଙ୍କ କାର୍ଯ୍ୟ ସୀମିତ ରହି ନାହିଁ। ଓଡ଼ିଶାର ପ୍ରାୟ ସମସ୍ତ ଜିଲାର ସମସ୍ୟାଗୁଡ଼ିକୁ ଖବରକାଗଜରେ ଦେଖି ସାମାଜିକ ଗଣମାଧ୍ୟମ(ଟୁଟର୍‌)ରେ ତାହାର ସମାଧାନ ନିମନ୍ତେ ସରକାର ତଥା ପ୍ରଶାସନକୁ ଅନୁରୋଧ କରିଥାନ୍ତି। ତାହା ଅଧିକାଂଶ ସମାଧାନ ମଧ୍ୟ ହୋଇଥାଏ। ଗ୍ରାମର ସୌକିଲାଲ ପ୍ରଧାନଙ୍କୁ ୯୮ହଜାର ଟଙ୍କା ଘରଭଙ୍ଗା ସହାୟତା ହେଉ ଅବା ଦ୍ରୋଣ ବନଛୋରଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଚିକିତ୍ସା ସହାୟତା ମିଳିବାରେ ଦୀପାଙ୍କ ସହଯୋଗ ରହିଛି। ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଅର୍ଦ୍ଧନିର୍ମିତ କୁଡ଼ାସିଙ୍ଗା ନାଲା, କୋରାପୁଟ ଜିିଲା ବୈପାରୀଗୁଡ଼ ନୂଆଗାଁ ଗ୍ରାମର ୧୭ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ନବରଙ୍ଗପୁର ବାଇଗାଁ ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସାଇବା ଭଳି ୧୦୮୮ଟି ସମସ୍ୟା ଦୀପା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ। ସେଥିମଧ୍ୟରୁ ଅଧିକାଂଶର ସମାଧାନ ହୋଇପାରିଥିବା ଦୀପା କହିଛନ୍ତି।

– ରିପୋର୍ଟ : ପ୍ରେମାନନ୍ଦ ଖମାରୀ, ବରଗଡ଼