ଅନ୍ଧାରିମୁଲକର ଗଁ। ଗୁରୁଜାଙ୍ଗ: ରାସ୍ତା ପାଇଁ ଅଣ୍ଟାଭିଡିଲେ ଗ୍ରାମବାସୀ

ଢେଙ୍କାନାଳ ଅଫିସ, ୧୨।୧୦ – ଗ୍ରାମାଞ୍ଚଳର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ସାଙ୍ଗକୁ ଆନୁଷଙ୍ଗିକ ଭିତ୍ତିଭୂମି ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଅନ୍ଧାରିମୁଳକ ଜୀବନରୁ ବାହାରି ପାରୁନାହାନ୍ତି ଆଭ୍ୟନ୍ତରୀଣ ଅଞ୍ଚଳରେ ବାସିନ୍ଦା। ଏହାର ସଦ୍ୟତମ ଉଦାହରଣ ହେଉଛି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ କନ୍ଧରା ସଂରକ୍ଷିତ ଜଙ୍ଗଲ ତଳି ଅଞ୍ଚଳରେ ଥିବା ଗୁରୁଜାଙ୍ଗ ଗ୍ରାମ। ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଗ୍ରାମର ଜନସଂଖ୍ୟା ୬୦୦ରୁ ଊର୍ଦ୍ଧ୍ୱ। ବର୍ଷତମାମ ହାତୀ ଉପଦ୍ରବ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ। ଗମନାଗମନ ଲାଗି ସବୁଦିନିଆ ରାସ୍ତା ନ ଥିବାରୁ ସରକାରୀ ଯୋଜନା ପହଞ୍ଚତ୍ ପାରୁନାହିଁ। ଏହାର ସମାଧାନ କରିବାକୁ ଗ୍ରାମବାସୀ ବହୁବାର ଜିଲା ପ୍ରଶାସନ ଓ ବନ ବିଭାଗକୁ ଦରଖାସ୍ତ ମାଧ୍ୟମରେ ନିବେଦନ କରି ଥକି ପଡ଼ିଲେଣି। କେହି ଗୁହାରି ନ ଶୁଣିବାରୁ ସେମାନେ ନିଜେ ଶ୍ରମଦାନ କରି ଆରମ୍ଭ କରିଛନ୍ତି ରାସ୍ତାନିର୍ମାଣ।
ଏ ନେଇ ୪୩ ବର୍ଷୀୟ ସୁରେଶ ଚନ୍ଦ୍ର ସାମଲ କୁହନ୍ତି, ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ବନ ବିଭାଗ ଅନୁଦାନରେ ଏହାକୁ ନିର୍ମାଣ କରାଯିବା କଥା। ରାସ୍ତା ନ ଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ପହଞ୍ଚତ୍ପାରୁନାହିଁ। ଗୁରୁଜାଙ୍ଗଠାରୁ ଖଲିବୋରେଇ ପଞ୍ଚାୟତର ଗୋବିନ୍ଦପୁର ଯାଏ ୪ କିମି ରାସ୍ତା ନିର୍ମାଣ ହେଲେ ଗ୍ରାମକୁ ଗମନାଗମନର ବାଟ ଫିଟିବ। ଏଥିଲାଗି ୪ବର୍ଷ ହେଲା ଜନ ଅଭିଯୋଗ ଶୁଣାଣି ଶିବିର, ବ୍ଲକ ପ୍ରଶାସନ, ଜିଲା ପ୍ରଶାସନ ନିକଟକୁ ଦରଖାସ୍ତ ଧରି ଯିବା ସତ୍ତ୍ୱେ କୌଣସି ସୁଫଳ ମିଳିଲାନାହିଁ। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ତିଆରି କରୁଥିବା ସେ କହିଛନ୍ତି।
ଏ ନେଇ ସରପଞ୍ଚ ସନ୍ତୋଷ ପ୍ରଧାନ କୁହନ୍ତି, ରାସ୍ତାଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଯାଉଥିବାରୁ ସମସ୍ୟା ଉପୁଜିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହାକୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ବର୍ଷା ଲାଗିରହିଥିବାରୁ କାମ ହୋଇପାରୁନାହିଁ।