ଅଧିକ ସମୟ ମାସ୍କ ପିନ୍ଧିଲେ ହାଇପରକେପନିଆ ହେବାର ରହିଥାଏ ଆଶଙ୍କା

ଡେରାଡୁନ୍‌,୩୦।୫: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ତେବେ ଅଧିକ ସମୟ ଧରି ମାସ୍କ୍‌ ପିନ୍ଧିବା ଦ୍ୱାରା ହାଇପରକେପନିଆ ହେବାର ଆଶଙ୍କା ରହିଥିବା ଉତ୍ତରଖଣ୍ଡ ଡୁନ୍‌ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗବେଷକ କହିଛନ୍ତି ଯେ, କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ। କିନ୍ତୁ ଏହାକୁ ଲଗାତାର ଘଣ୍ଟା ଘଣ୍ଟା ଧରି ପିନ୍ଧିବା ଅନୁଚିତ। ଏହା ଦ୍ୱାରା ଆଖିକୁ ଭଲ ଭାବେ ଦେଖା ନ ଯିବା, ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧିବା, ନିଶ୍ୱାସ ପ୍ରଶ୍ୱାସ ନେବାର ସମସ୍ୟା, ଉଚ୍ଚରକ୍ତଚାପ, ହୃଦ୍‌ ସ୍ପନ୍ଦନ ବଢ଼ିବା, ଝାଳ ବୋହିବା, ଅଚେତ ହୋଇ ପଡ଼ିବା ଆଦି ଲକ୍ଷଣ ଦେଖାଦେଇଥାଏ। ଏସବୁ ଲକ୍ଷଣକୁ ଡାକ୍ତରୀ ଭାଷାରେ ହାଇପରକେପନିଆ କୁହାଯାଇଥାଏ। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ଲୋକଙ୍କଠାରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ ବୋଲି ଡୁନ୍‌ ହସ୍ପିଟାଲର ଡାକ୍ତର କୁମାର ଜି. କୌଲ ସୂଚନା ଦେଇଛନ୍ତି। ଅଧିକ ସମୟ ମାସ୍କ ପିନ୍ଧିବା ଦ୍ୱାରା ଅଙ୍ଗାରକାମ୍ଳ ନିଶ୍ୱାସ ପ୍ରଶ୍ୱାସ ସମୟରେ ପୁଣିଥରେ ନାକବାଟେ ଫୁସଫୁସ୍‌କୁ ଯାଇଥାଏ। ଏହାଯୋଗୁ ହାଇପରକେପନିଆ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ଏକୁଟିଆ ରହିଥିବା ସମୟରେ ମାସ୍କ ବାହାର କରିଦେବା ଆବଶ୍ୟକ। ଏହା ସହିତ ମାସ୍କ ପିନ୍ଧି ଜଗିଂ ଅବା ବ୍ୟାୟାମ ନ କରିବା ଉଚିତ ବୋଲି ଡାକ୍ତର କୌଲ କହିଛନ୍ତି।

Share